ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ-ପଶ୍ଚିମ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ବ୍ୟାପିଛି। ଏହା ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିବା ବେଳେ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ବର୍ଷା ହୋଇଛି।
ଲଘୁଚାପ ପ୍ରଭାବରେ ଆସନ୍ତାକାଲି ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷିପାରେ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୯ ତାରିଖ ଦିନ ବର୍ଷାର ଅନୁପାତ କମିବ। ୧୦ରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।