ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ୨୦ ତାରିଖରୁ ରାଜ୍ୟରେ ତାତି କମିବ। ୨୧ ତାରିଖରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ୨୧ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୨୨ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିଯିବ ଓ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ। ତେବେ ଆସନ୍ତାକାଲି ଅର୍ଥାତ ସୋମବାର ଆଉ ଗୋଟିଏ ଦିନ ରାଜ୍ୟବାସୀ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ। କାରଣ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ରବିବାର ଦିନ ପୁଣି ପଶ୍ଚିମ ଓଡ଼ିଶାରେ ବିସ୍ଫୋରକ ସ୍ଥିତି ଉପୁଜିଥିଲା। ସମ୍ବଲପୁର ସହରର ସର୍ବୋଚ୍ଚ ତାପମାତ୍ରା ରବିବାର ଦିନ ବି ୪୬ ଡିଗ୍ରିରେ ପହଞ୍ଚିଛି। ଏଥିସହ ପଶ୍ଚିମ ଓଡ଼ିଶାର ୫ ସହର ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି। ସମ୍ବଲପୁର ଜିଲ୍ଲା ପଛକୁ ସୋନପୁର ସହରରେ ୪୫.୮ ଡିଗ୍ରି, ବୌଦ୍ଧରେ ୪୫.୫ ଡିଗ୍ରି, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୪୫ ଡିଗ୍ରି ରହିଥିଲା। ସେହିଭଳି ରାଜ୍ୟର ସର୍ବମୋଟ୍ ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆଜି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଉପକୂଳବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଆଜି ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ଆର୍ଦ୍ରତା ୫୧% ରହିଥିଲା। ଫଳରେ ପ୍ରବଳ ଗୁଳୁଗୁଳିରେ ନୟାନ୍ତ ହୋଇଥିଲେ ରାଜଧାନୀବାସୀ।
ଆଜି(ସୋମବାର) ପାଇଁ ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଂଶୁଘାତଜନିତ ୱାର୍ଣ୍ଣିଂ ଜାରି ହୋଇଥିବାରୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଖରାକୁ ନ ବାହାରିବାକୁ ତଥା ଶୋଷ ନ ହେଉଥିଲେ ବି ଅଳ୍ପ ଅଳ୍ପ ବ୍ୟବଧାନରେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ନିଜକୁ ହାଇଡ୍ରେଟେଡ୍ ରଖିବାକୁ ଓଆର୍ଏସ୍ ପାଣି, ତୋରାଣୀ, ଲସି, ଆଖୁ ରସ ଓ ଲେମ୍ବୁ ପାଣି ଆଦି ପିଇବାକୁ କୁହାଯାଇଛି। ଗୃହପାଳିତ ପଶୁ, ପକ୍ଷୀଙ୍କୁ ଛାଇ ଓ ସୁରକ୍ଷିତ ସ୍ଥାନରେ ରଖିବା ସହ ଆଖୁ, ମକା ଓ ଡାଲିଜାତୀୟ ଫସଲରେ ଜଳସେଚନ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ସୋମବାର ଦିନ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ମଧ୍ୟରେ ରହିବ। ରାତିର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଯାଏ ରହିବ।