ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବରରେ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବି‌ଶେଷ କରି ଜଗତସିଂହପୁର, ଖୋର୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ କଟକ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଲଘୁଚାପଟି ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଅବପାତର ରୂପ ନେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ୧୬ ତାରିଖ ବେଳକୁ ଏକ ଗଭୀର ଅବପାତରେ ପରିଣତ ହେବ। ପରେ ପରେ ଏହା ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଓ ୧୭ ତାରିଖ ବେଳକୁ ଓଡ଼ିଶା ଉପକୂଳସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ।

ଫଳରେ ୧୬ ଓ ୧୭ ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହୁଛି। ୧୬ ତାରିଖ ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗଞ୍ଜାମ, ଖୋର୍ଧା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର କେତେକାଂଶରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏବେ ହାଲୁକା ଶୀତ ଜାରି ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ସକାଳୁ ସକାଳୁ କୁହୁଡ଼ିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୮ ଡିଗ୍ରି ମଧ୍ୟରେ ରହିବ।