୧୪ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର : ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆକାଶ ମେଘୁଆ ରହିଥିଲା। ଆସନ୍ତା ୨୪ଘଣ୍ଟା ଭିତରେ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବନାନୁମାନ କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଧା, ନୟାଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୋନପୁର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହି ବର୍ଷା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଅପରପକ୍ଷରେ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଗତ ୩୬ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଟିଟିଲାଗଡ଼ରେ ସର୍ବାଧିକ ୩୪ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୨୮ ମି.ମି, ଭବାନୀପାଟଣାରେ ୨୦ ମି.ମି ବର୍ଷା ରେକର୍ଡ ହୋଇଛି। କଟକରେ ୪ ମି.ମି ବର୍ଷା ହୋଇଥିବା ଭୁବନେଶ୍ୱରରେ ମାତ୍ର ୧ ମି.ମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର