ଭୁବନେଶ୍ବର : ୨୦୨୦ ଓଡ଼ିଶା ପାଇଁ ଗରମ ବର୍ଷ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତାପମାତ୍ରା ଆଶାତୀତ ଭାବେ ବଢ଼ିବ। ଫେବ୍ରୁଆରି ଅଧା ପର୍ଯ୍ୟନ୍ତ ଶୀତ ଲାଗିରହିବ। ମାର୍ଚ୍ଚ ମାସ ଶେଷ ଆଡ଼କୁ ଖରାର ପ୍ରକୋପ ବଢ଼ିବ। ଯାହାକି ଜୁନ୍‌ ମାସ ପର୍ଯ୍ୟନ୍ତ ଲାଗିରହିବ। ୨୦୧୯ ତୁଳନାରେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ପୁଣିଥରେ ତତଲା ପାଲଟିବ। ଏଠାକାର କେତେକ ସହରର ତାପମାତ୍ରା ଲଗାତାର ଭାବେ ୪୫ ଡିଗ୍ରି ଉପରେ ରହିବ। ମେ’ ମାସରେ ଖରାର ପ୍ରକୋପ ଅଧିକ ରହିବ। ତେବେ ଏବର୍ଷ ସ୍ବାଭାବିକ ବର୍ଷା ହେବ। ଜୁନ୍‌ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ଅଧିକ ରହିବ। ଆରମ୍ଭରୁ ହିଁ ମୌସୁମୀ ବର୍ଷା ସ୍ବାଭାବିକ ହେବ। ୨୦୧୯ ପରି ଦୁର୍ବଳ ରହିବ ନାହିଁ। ବର୍ଷା ଚାରି ମାସ ରାଜ୍ୟକୁ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Advertisment

୨୦୨୦ ପାଣିପାଗକୁ ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୦୧୯ ମସିହା ବିଶ୍ବସ୍ତରରେ ଅତ୍ୟଧିକ ଗରମ ବର୍ଷ ଭାବେ ପରିଗଣିତ ହୋଇଛି। ଏହାପୂର୍ବରୁ ୨୦୧୬ରେ ସବୁଠାରୁ ଅଧିକ ଗରମ ବର୍ଷ ହୋଇଥିଲା। ଉକ୍ତ ବର୍ଷ ୧୮୫୦ ତୁଳନାରେ ବିଶ୍ବ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍‌ ବୃଦ୍ଧି ହୋଇଥିଲା। ଅନୁମାନ କରାଯାଉଛି ଯେ ୨୦୨୦ରେ ବି ବିଶ୍ବ ତାପୀକରଣ ଚାଲୁରହିବ ଏବଂ ଏହା ଆଉ ଏକ ଗରମ ବର୍ଷରେ ପରିଣତ ହେବ। ୨୦୨୦ରେ ବିଶ୍ବ ତାପମାତ୍ରାର ଅଭିବୃଦ୍ଧି ୧.୧୧ ଡିଗ୍ରି ସେଲସିୟସ୍‌ କିମ୍ବା ତା’ଠାରୁ ଅଧିକ ହୋଇପାରେ। ଫଳରେ ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଗରମ ଦଶକରେ ପରିଣତ ହେବ।

ଆହୁରି ଆକଳନ କରାଯାଇଛି ଯେ ଯଦିଓ ୨୦୨୦ରେ ଅଧିକାଂଶ ସମୟ ଇଏନ୍‌ଏସ୍‌ଓ(ଏଲ୍‌ ନିନୋ/ସର୍ଦ୍ଦନ ଓସିଲ୍ଲେସନ) ନ୍ୟୁଟ୍ରାଲ ରହିବ। ହେଲେ ଅଗଷ୍ଟଠାରୁ ଅକ୍ଟୋବର ମାସରେ ଲା-ନିନା‌ର ବୃଦ୍ଧି ହୋଇପାରେ। ଦେଖାଯାଇଛି ଯେ ଏହିପରି ପୂର୍ବ ବର୍ଷଗୁଡ଼ିକରେ ଓଡ଼ିଶାରେ ଭଲ ବର୍ଷା ହୋଇଥାଏ। ତେଣୁ ୨୦୨୦ରେ ମୌସୁମୀ ବର୍ଷା ଭଲ ହେବ। ତେବେ ଗ୍ରୀଷ୍ମ ସମୟରେ ଅତିଶୟ ଗରମ ହେବ। ଏହି ବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କମିବାର ଦେଖାଯାଉ ନାହିଁ। ଆଶା କରାଯାଉଛି ଯେ ରାଜ୍ୟ ସରକାର ସମସ୍ତଙ୍କ ସହଯୋଗରେ ଏହାର ମୁକାବିଲା ଦିଗରେ ସଠିକ୍‌ ପଦକ୍ଷେପ ‌ନେବେ। ୨୦୨୦ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳମୟ ‌ହେବ ବୋଲି ପ୍ରଫେସର ପଶୁପାଳକ ଆଶାପ୍ରକଟ କରିଛନ୍ତି।