ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଆଜି ସୁନ୍ଦରଗଡ଼ରେ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୦.୯ ଓ ଝାରସୁଗୁଡ଼ାରେ ୦.୮ ମିମି ବର୍ଷା ହୋଇଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁରରେ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ଘନ କୁହୁଡ଼ି ଦେଖାଯାଇଥିଲା। ଏଠାରେ ୧କିମି ଦୃଶ୍ୟତା ରହିଥିଲା। ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ଥିବା ଆଶଙ୍କା ଥିବାରୁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆଜି ପୂର୍ବଦିନ ତୁଳନାରେ ତାପମାତ୍ରା ୨ରୁ ୩ଡିଗ୍ରି ଅଧିକ ରହିଥିଲା। ଆଜି ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୬ ଡିଗ୍ରି ରେକର୍ଡ କରାଯାଇଛି। ୧୪ ସହରର ତାପମାତ୍ରା ଆଜି ୩୦ ଡିଗ୍ରି ଉପରେ ରହିଛି। ଆଜିର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୧୨.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ମଧ୍ୟ ୧୨.୫ ଡିଗ୍ରି ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଉ ଦୁଇଦିନ ତାପମାତ୍ରାରେ ଅଧିକା ପରିବର୍ତ୍ତନ ହେବ ନାହିଁ। ପଶ୍ଚିମାଝଡ଼ ଅତିକ୍ରମ କରିବା ପରେ ବା ଡିସେମ୍ବର ୩୧ ରାତିରୁ ତାପମାତ୍ରା କମିବ ବୋଲି ଜଣାପଡ଼ିଛି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ, ଗତ ତିନିଦିନ ହେବ ରାଜ୍ୟରେ ବର୍ଷା ହୋଇନାହିଁ। ସପ୍ତାହେ ପର୍ଯ୍ୟନ୍ତ ମଧ୍ୟ ପାଗ ଶୁଖିଲା ରହିବ। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ତାପମାତ୍ରା ସବୁଠାରୁ କମ୍ ରହିବ। ନୂଆବର୍ଷ ଦିନ ଆଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୧୦ଡିଗ୍ରିରୁ କମ୍ ରହିବା ସମ୍ଭାବନା ରହିଛି। ୨୬ରେ ବଙ୍ଗେପସାଗରରେ ଯେଉଁ ଜାଗାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଜାନୁଆରି ୩ରେ ମଧ୍ୟ ସେହି ସ୍ଥାନରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କିନ୍ତୁ ଓଡ଼ିଶାକୁ ପ୍ରଭାବିତ କରିବ ନାହିଁ।