ପୁରୀ: ଆଜି ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ହୋଇଛି ପୁରୀ ସହର ଓ ସହରତଳି ଅଞ୍ଚଳ। ବର୍ଷାରେ ବେଳାମାର୍ଗ ଓ ବଡ଼ଦାଣ୍ଡରେ ଅସମ୍ଭାଳ ପରିସ୍ଥିତି ଦେଖିବାକୁ ମିଳିଛି। ଦୁଇ ଘଣ୍ଟା ଭିତରେ ବଡ଼ଦାଣ୍ଡ, ବେଳାମାର୍ଗ ଜଳାର୍ଣ୍ଣବ ହୋଇଯାଇଛି। ଡ୍ରେନ୍ରେ ପାଣି ନିଷ୍କାସନ ନ ହୋଇ ପାରି ନାଳ ପାଣି ମିଶା ବର୍ଷା ପାଣି ବଡ଼ଦାଣ୍ଡରେ ଲହଡ଼ି ମାରିଛି। ଫଳରେ ଯାତାୟାତରେ ଲୋକେ ଦୁର୍ଦ୍ଦଶା ଭୋଗିଛନ୍ତି। ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚ ପାଣିରେ ଲୋକେ ଯା’ଆସ କରିଛନ୍ତି। ଗାଡ଼ିମୋଟର ଚାଳକ କଲବଲ ହୋଇଛନ୍ତି।
ଲଘୁଚାପ କାରଣରୁ ପୁରୀରେ ଆଜି ସକାଳୁ ଆକାଶ ମେଘାଛନ୍ନ ରହିବା ସହ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। କ୍ରମେ ସମୟ ଗଡ଼ିବା ସହ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଘନ ଅନ୍ଧକାର ମାଡ଼ି ଆସିଥିଲା। ଏହାର କିଛି ସମୟ ଭିତରେ ଅବିଶ୍ରାନ୍ତ ବର୍ଷା ଆରମ୍ଭ ହୋଇଯାଇଥିଲା। ଘନ ଘନ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଥିଲା। ଚାହୁଁ ଚାହୁଁ ନାଳ ପାଣି ମିଶା ବର୍ଷା ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଥିଲା। ବଡ଼ଦାଣ୍ଡ ମେଡିକାଲ୍ ଛକରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ସେହିଭଳି ବଳଗଣ୍ଡି ଛକ, ମାର୍କେଟ୍ ଛକ, ବଡ଼ଶଙ୍ଖ ଛକ ବି ପାଣିରେ ବୁଡ଼ି ରହିଥିଲା। ବଳଗଣ୍ଡି ଛକରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଲହଡ଼ି ମାରିଥିଲା। ସମଗ୍ର ବଡ଼ଦାଣ୍ଡକୁ ଜଳାର୍ଣ୍ଣବ ହୋଇଯାଇଥିଲା। ଘନ ଘନ ବିଜୁଳି, ଘଡ଼ଘଡ଼ି ପରେ ଆଜି ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସରବରାହ କାଟି ଦିଆଯାଇଥିଲା। ଫଳରେ ବଡ଼ଦାଣ୍ଡ ଓ ସହର ଗଳକନ୍ଦି ସବୁ ଅନ୍ଧକାର ଛାଇ ଯାଇଥିଲା। ସହରତଳି ଅଞ୍ଚଳ ବି ସମାନ ଦୁର୍ଦ୍ଦଶା ଭୋଗୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/22.jpg)