ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ରାଜଧାନୀରେ ବର୍ଷିଲା ସର୍ବାଧିକ ୪୪ ମି.ମି.

ଭୁବନେଶ୍ୱର : ତିନି ଦିନ ହେଲା ଅଧା ଓଡ଼ିଶାରେ କାଳବୈଶାଖୀ ତ ଆଉ ଅଧା ଓଡ଼ିଶାରେ ଜାରି ରହିଛି ତାତି। ପଶ୍ଚିମ ଓଡ଼ିଶାର ତାପମାତ୍ରା ପ୍ରତିଦିନ ଗୋଟିଏ ଡିଗ୍ରି ଲେଖାଏ ବୃଦ୍ଧି ପାଉଛି। ଆଜି ପୁଣିଥରେ ତାପମାତ୍ରା ୪୨ ଡିଗ୍ରି ଟପିଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରିରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ତାପମାତ୍ରା ପୁଣିଥରେ ୪୨ ଡିଗ୍ରିରେ ପହଞ୍ଚିଛି। ଏହାବ୍ୟତୀତ ସୋନପୁରରେ ୪୧.୮, ମାଲକାନଗିରିରେ ୪୧.୬, ଭବାନୀପାଟଣାରେ ୪୧, ଟିଟିଲାଗଡ଼ରେ ୪୦.୫, ସମ୍ବଲପୁରରେ ୪୦ ଡିଗ୍ରି ରେକର୍ଡ ହୋଇଛି। ତାପମାତ୍ରା ବଢ଼ୁଥିବାରୁ ଆସନ୍ତା ୨୧ ଓ ୨୨ ତାରିଖରେ ପଶ୍ଚିମ ଓଡ଼ିଶା ପାଇଁ ହିଟ୍‌ େଓ୍ଵଭ୍‌ ଜାରି କରାଯାଇଛି।

ଉପକୂଳ ଓ ଉତ୍ତର ଓଡ଼ିଶାରେ କିନ୍ତୁ ଝଡ଼ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ସବୁଠାରୁ ଅଧିକ ୪୪ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪୨.୭, ବାରିପଦାରେ ୩୪.୪, ଚାନ୍ଦବାଲିରେ ୩୦.୩, ଢେଙ୍କାନାଳରେ ୨୧, ଦାରିଙ୍ଗବାଡ଼ିରେ ୨୦ ମିମି, ପାରାଦ୍ୱୀପରେ ୧୨.୨, କଟକରେ ୧୦.୨ ମି.ମି. ବର୍ଷା ହୋଇଛି। କେତେକ ସ୍ଥାନରେ ବର୍ଷା ସହ ପବନ ବାଡ଼େଇଥିବାରୁ ଜନଜୀବନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗିରହିବ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। କାଁ ଭାଁ ବଜ୍ରପାତର ବି ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର