ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍‌ଣରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଦିନ ପ୍ରାୟ ୧ଟାରୁ ଆରମ୍ଭ ହୋଇଥିବା ବର୍ଷା ଅଢ଼େଇ ଘଣ୍ଟା ଯାଏଁ ଛେଚିଛି। ବର୍ଷା ଯୋଗୁଁ ରାସ୍ତାରେ ଜଳ ପ୍ରବାହିତ ହୋଇଛି। ଇସ୍କନ ମନ୍ଦିର ସମ୍ମୁଖ, ପୁରୁଣା ଭୁବନେଶ୍ବରର କିଛି ରାସ୍ତା, କଟକରୋଡସ୍ଥିତ ବମିଖାଲରେ ବର୍ଷା ପାଣି ୧ରୁ ୨ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ହଇରାଲ ହୋଇଛନ୍ତି। ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଡ୍ରେନ୍‌ଗୁଡ଼ିକ ସଫା କରାଯାଇ ନଥିବାରୁ ରାସ୍ତାରେ ଜଳଭର୍ତ୍ତି ହେଉଛି।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବର ଓ କଟକରେ ଆହୁରି ବର୍ଷା ହେବ। ସେହିପରି ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ବର୍ଷା ଲାଗି ରହିବ। ୪ ଦିନ ଯାଏଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସ୍ଥିତି ରହିବ। ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ମାଲକାନଗିରି, କୋରାପୁଟ, ନୂଆପଡା, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନବରଙ୍ଗପୁର ରହିଛି।