କେନ୍ଦୁଝର : ଅଦିନିଆ ବର୍ଷାରେ ବେହାଲ ହୋଇପଡ଼ିଛି କେନ୍ଦୁଝର ସହର। ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସହରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିଛି। ଡ୍ରେନେଜ୍ ବ୍ୟବସ୍ଥା ଭଲ ନଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ।
କେନ୍ଦୁଝର ସହରରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନ୍ ତିଆରି ହେଉଛି। ହେଲେ ଡ୍ରେନ ଗୁଡ଼ିକ ପଙ୍କରେ ପୋତି ହୋଇଯାଉଥିବାରୁ ଜଳ ନିଷ୍କାସନର ହୋଇପାରୁ ନାହିଁ। କେତେକ ସ୍ଥାନରେ ଲୋକେ ଡ୍ରେନ୍କୁ ଜବରଦଖଲ କରି ରଖିଛନ୍ତି। ଡ୍ରେନ୍ ଉପରେ ଦୋକାନ ଘର ହୋଇଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ବର୍ଷା ହେଲେ ସ୍ଥିତି ସଂଗିନ ହେଉଛି। କେନ୍ଦୁଝର ସହର ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଇପାସ୍ରେ ୨୫ ତାରିଖରୁ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ଏହି ରାସ୍ତାରେ ହଜାର ହଜାର ଭାରୀଯାନ ଚଳାଚଳ କରୁଛି। ରାସ୍ତା ଅବସ୍ଥା ଶୋଚନୀୟ ଏବଂ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଆଜି ବର୍ଷା ହେବା ପରେ ଖାଲରେ ପାଣି ଜମିଥିବାରୁ ଲୋକଙ୍କୁ ଯାତାୟାତରେ ଅସୁବିଧା ହେଉଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।
ଶଙ୍କରପୁରଠାରୁ ଜୁଡ଼ିଆଘଟି ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୨କୋଟି ୯୮ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି। ଏନ୍ଏଚ୍ଏଆଇର ମୁଖ୍ୟଯନ୍ତ୍ରୀ ବୈଷୟିକ ଅନୁମୋଦନ ପ୍ରଦାନ କରିଛନ୍ତି। ମୋଟ ବ୍ୟୟ ଅଟ୍ଟକଳରୁ ମୁଖ୍ୟରାସ୍ତା ନିର୍ମାଣ ପାଇଁ ୯ କୋଟି ୨୦ ଲକ୍ଷ ୨୯ ହଜାର ୯୧୩ ଟଙ୍କା ଖର୍ଚ୍ଚ ହେବ। ରାସ୍ତା ପାର୍ଶ୍ବରେ ଡ୍ରେନ୍ ନିର୍ମାଣ ପାଇଁ ୮୫ ଲକ୍ଷ ୨୬ ହଜାର ୪୭୭ ଟଙ୍କା ଖର୍ଚ୍ଚ ହେବ। ସେହିପରି ରାସ୍ତାରେ ବିଭିନ୍ନ ସୂଚନା, ସୁରକ୍ଷା କାର୍ଯ୍ୟ ପାଇଁ ୬୩ ଲକ୍ଷ ୪୮ ହଜାର ୮୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଜିଏସ୍ଟି ଦେୟ ବାବଦକୁ ୧ କୋଟି ୨୮ଲକ୍ଷ ୨୮ହଜାର ୬୨୯ ଟଙ୍କା ଓ କାର୍ଯ୍ୟ ତଦାରଖ ବାବଦକୁ ୧ କୋଟି ୧ ଲକ୍ଷ ୫୫ ହଜାର ୯୯୭ ଟଙ୍କା ରଖାଯାଇଛି। ମୁଖ୍ୟରାସ୍ତାର ମଝିରେ ମଝିରେ ବଡ଼ବଡ଼ ଗାତ ହୋଇଥିବାବେଳେ ଏହାକୁ ଠିକାସଂସ୍ଥା ପକ୍ଷରୁ ସାମାନ୍ୟ ମରାମତି କରାଯାଇଛି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ରାସ୍ତାକୁ ଖୁବଶୀଘ୍ର ନିର୍ମାଣ କରିବାକୁ ଦାବି ହୋଇଛି। ପ୍ରଥମେ ଡ୍ରେନେଜ୍ କାମ କରିବାକୁ ସହରବାସୀ ଦାବି କରିଛନ୍ତି। ସେହିପରି କେନ୍ଦୁଝର ସହରରେ ମାଷ୍ଟର ଡ୍ରେନ୍ ନଥିବାରୁ ସାମାନ୍ୟ ବର୍ଷା ହେଲେ ସହରର ସବୁ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ସହରର ଡ୍ରେନେଜ୍ ସମସ୍ୟା ପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/f704eb2f-6e63-4864-9a1f-bbfd5f5ab053.jpg)