ଖୋର୍ଦ୍ଧା : ଧୋକାଦେଲା ମୌସୁମୀ, ଜୁଲାଇ ମାସରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ୍ ବର୍ଷା

ଖୋର୍ଦ୍ଧା : ରଜସଂକ୍ରାନ୍ତିର ଦୁଇ ଦିନ ପୂର୍ବରୁ ମୌସୁମୀ ପ୍ରଥମ ବର୍ଷା ହୋଇଥିଲା । ଅନୁମାନ କରାଯାଉଥିଲା ମୌସୁମୀ ଠିକ୍ ସମୟରେ ଆସିଛି, ସ୍ୱାଭାବିକ ମୌସୁମୀ ଯୋଗୁଁ କରୋନା ଲକ୍‌ଡାଉନ ଅର୍ଥନୈତିକ ଶିଥିଳତା ଚଳଚଂଚଳ ହେବ । କିନ୍ତୁ ସବୁ ଆଶାଭରସାକୁ ମୌସୁମୀ ଧୋକା ଦେଇଛି । ଶ୍ରାବଣ ମାସ ଶେଷ ହେବାକୁ ବସିଛି କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ଜୁନ୍ ମାସ ପ୍ରଥମ ସପ୍ତାହରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ ୧୦ ଜୁନରୁ ୧୭ ଜୁନ୍ ମଧ୍ୟରେ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଥିଲା । ଏହା ପରଠାରୁ ଗତ ୪୫ ଦିନ ମଧ୍ୟରେ ଜିଲ୍ଲାରେ ସ୍ୱାଭାବିକ ଠାରୁ ୧୯ରୁ ୬୦ ପ୍ରତିଶତ କମ୍ ବର୍ଷା ହୋଇଛି ।

ଜୁଲାଇ ମାସରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ମଧ୍ୟରୁ ବାଲିଅନ୍ତାରେ ୨୬୭, ବାଲିପାଟଣାରେ ୧୨୧.୪୦ ମିମି, ଭୁବନେଶ୍ୱର ବ୍ଲକରେ ୧୩୨.୪୦ମିମି, ଜଟଣୀରେ ୧୬୭ମିମି, ବାଣପୁରରେ ୧୫୯ ମିମି, ବେଗୁନିଆରେ ୧୪୫ମିମି, ବୋଲଗଡ଼ରେ ୫୯ ମିମି, ଚିଲିକାରେ ୧୦୯ମିମି, ଟାଙ୍ଗୀରେ ୧୫୨ ମିମି ବର୍ଷା ରେକର୍ଡ ହୋଇଛି। ସେହିଭଳି ଗତ ୪ ଦିନ ମଧ୍ୟରେ ୨୮ ତାରିଖରେ ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ବୋଲଗଡ଼ ଓ ଖୋର୍ଦ୍ଧାରେ ବର୍ଷା ହୋଇଥିବା ବେଳେ ୨୯ ତାରିଖରେ କୌଣସି ବର୍ଷା ହୋଇନଥିଲା । ୩୦ ତାରିଖରେ ଖୋର୍ଦ୍ଧାରେ କେବଳ ୫ ମିମି ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ଣ ସୁଦ୍ଧା ଜିଲ୍ଲାରେ କୌଣସି ବ୍ଲକରେ ବର୍ଷା ରେକର୍ଡ କରାଯାଇନାହିଁ ।

ସମ୍ବନ୍ଧିତ ଖବର