ଭୁବନେଶ୍ୱର: ପଶ୍ଚିମା ଝଡ଼ ଆଗମନର ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାର ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ କିଛି ଜିଲ୍ଲାରେ ମଧ୍ୟମଧରଣର ବର୍ଷ ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବର୍ଷା ପ୍ରଭାବରେ ପରିବା ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଅମଳ ଉପଯୋଗୀ ହରଡ଼, ବନ୍ଧା କୋବି, ଫୁଲକୋବି ସମେତ ଅନ୍ୟାନ୍ୟ ପରିବାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଶୀତଦିନିଆ ଡାଲି ଜାତୀୟ ବିହନ (ମୁଗ,ବିରି ପ୍ରଭୃତି) ଏବଂ ତୈଳବୀଜ ବିହନ ବୁଣାବୁଣି ଆଗକୁ ଏକ ସପ୍ତାହ ସାମୟିକ ସ୍ଥଗିତ ରଖନ୍ତୁ। ପନିପରିବା ତଳି ଯଥା ଟମାଟୋ, ଲଙ୍କା, ପିଆଜ, କୋବି ଆଦିକୁ ପଲିଥିନ, ଜାଲି ଦ୍ୱାରା ଆଛାଦିତ କରି ରଖନ୍ତୁ। ସାର, କୀଟନାଶକ ପ୍ରୟୋଗକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/mumbai-rains-pti.jpg)