ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ବୁଧବାରଠାରୁ ପାଗ ମେଘୁଆ ରହିଛି। ଗୁରୁବାର ସୁଦ୍ଧା ଜିଲ୍ଲାରେ ୩ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି। ଫଳରେ ରବି ଧାନଚାଷୀଙ୍କ ଚିନ୍ତା ବଢ଼ିଛି। ଚାଷୀମାନେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଜମା କରି ରଖିଛନ୍ତି। ବର୍ଷାରୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନଥିବାରୁ ଜିଲ୍ଲାର ବହୁ ଚାଷୀଙ୍କ ଧାନ ଭିଜି ନଷ୍ଟ ହେବା ଆଶଙ୍କା ରହିଛି। ଜିଲ୍ଲାରେ ୨ ତାରିଖ ସୁଦ୍ଧା ୩୪୩ ଜଣ ଚାଷୀଙ୍କ ୪୧ ହଜାର ୪୭୮ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି।

Advertisment

ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ବ୍ଲକ୍‌ ବେଲଟୁକୁରୀ ପେକ୍ସର ବେଲଟୁକରୀ ମଣ୍ଡିରେ ୨୨ ଜଣ ଚାଷୀଙ୍କ ୨୭୩୪ ବସ୍ତା, ଧରମବନ୍ଧା ପେକ୍ସ ମୁଟାନୂଆପଡ଼‌ା ମଣ୍ଡିରେ ୧୭ଜଣ ଚାଷୀଙ୍କ ୨୪୨୮ ବସ୍ତା, ଦର୍ଲିମୁଣ୍ଡା ପେକ୍ସ ସାଇପଲା ମଣ୍ଡିରେ ୧୩ ଜଣ ଚାଷୀଙ୍କ୧୫୪୨ ବସ୍ତା, ଦର୍ଲିମୁଣ୍ଡା ମଣ୍ଡିରେ ୨୮ଜଣ ଚାଷୀଙ୍କ ୩୨୧୨, କୋମନା ବ୍ଲକ୍‌ ‌ଲେଭା ପେକ୍ସ ଭେଲା ମଣ୍ଡିରେ ୪୬ ଜଣ ଚାଷୀଙ୍କ ୬୮୨୨ ବସ୍ତା, ଜଡ଼ାମୁଣ୍ଡା ମଣ୍ଡିରେ ୫୯ଜଣ ଚାଷୀଙ୍କ ୫୭୪୧ ବସ୍ତା, ତରବୋଡ଼ ପେକ୍ସ ତରବୋଡ଼ ମଣ୍ଡିରେ ୫୪ଜଣ ଚାଷୀଙ୍କ ୬୯୨୨ ବସ୍ତା, କାଣ୍ଡେତରା ପେକ୍ସ କାଣ୍ଡେତରା ମଣ୍ଡିରେ ୧୨ଜଣ ଚାଷୀଙ୍କ୧୪୪୭ ବସ୍ତା, ଲଖନା ପେକ୍ସ କୁରୁମପୁରୀ ମଣ୍ଡିରେ ୫୪ ଚାଷୀଙ୍କ ୫୯୧୦ ବସ୍ତା, ସିନାପାଲି ବ୍ଲକ୍‌ ନୀଲଜୀ ମଣ୍ଡିରେ ୧୧ ଜଣ ଚାଷୀଙ୍କ ୯୪୪ ବସ୍ତା, ଲିଆଡ଼ ମଣ୍ଡିରେ ୮ ଜଣ ଚାଷୀଙ୍କ ୧୧୨୦ ବସ୍ତା, ବୋଡ଼େନ ବ୍ଲକ୍‌ ବୋଡ଼େନ ମଣ୍ଡିରେ ୪ ଜଣ ଚାଷୀଙ୍କ ୩୯୦ ବସ୍ତା, ଜିଲ୍ଲାରେ ୨ ତାରିଖ ପର୍ଯ୍ୟନ୍ତ ମୋଟ ୩୪୩ ଜଣ ଚାଷୀଙ୍କ ୪୧ହଜାର ୪୭ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧୮୫୭ ଜଣ ଚାଷୀଙ୍କ ୧୦୫୭୭୮.୫୭ କ୍ବିଣ୍ଟାଲ ଧାନ ଯୋଗାଣ ବିଭାଗ କ୍ରୟ କରିସାରିଛି।

ସେହିପରି ଦୁଇଦିନ ହେବ ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡି‌ରେ ଧାନ ରଖିବା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ଚାଷୀମାନେ ଧାନ ଆଣି ଖୋଲା ଆକାଶ ତଳେ ରଖିଛନ୍ତି। ବର୍ଷା ହେଲେ ଧାନ ଘୋଡ଼ାଇବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବ୍ୟବସ୍ଥା କରିବା କଥା। ହେଲେ ଆର୍‌ଏମ୍‌ସିର ଦେଖା ନାହିଁ। ମଣ୍ଡିରେ ଥିବା ଧାନକୁ ଚାଷୀମାନେ ନିଜେ ତାରପୋଲିନରେ ଘୋଡ଼ାଉଛନ୍ତି। ଏହା ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ନଦେଲେ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।