ବର୍ଷା ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ତାତିରୁ ମିଳିଛି ଟିକିଏ ଆଶ୍ୱସ୍ତି। ସପ୍ତାହେ ହେଲା ସାରା ଓଡ଼ିଶାର ତାପମାତ୍ରା ବଢ଼ି ଚାଲିଥିବା ବେଳେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାରୁ ପାରଦ ଖସିଛି। କେତେକ ସହରରେ ୩ରୁ ୭ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୪ ମି.ମି. ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୩.୫ମିମି, ସମ୍ବଲପୁରରେ ୨ମିମି, ଟିଟିଲାଗଡ଼ ଓ ବାରିପଦାରେ ୧ ମି.ମି. ଲେଖାଏ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ସମେତ ଚାନ୍ଦବାଲି, ପରାଦ୍ୱୀପ, ପୁରୀ, ତାଳଚେର, ବଲାଙ୍ଗିର, କୋରାପୁଟ, ଫୁଲବାଣୀ, ମାଲକାନଗିରି, ଦାରିଙ୍ଗବାଡ଼ି, ସୋନପୁରର ବିଭିନ୍ନ ସ୍ଥାନରେ ହଲକା ବର୍ଷା ହୋଇଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏଭଳି କୋହଲା ପାଗ ରହିବ। ଖରାର ପ୍ରକୋପ ବୃଦ୍ଧି ପାଇବ ନାହିଁ। ଏଥିସମୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ଫୁଲବାଣୀ, କଳାହାଣ୍ଡି, ରାୟଗଡ଼ା, ଗଜପତିର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶ ଶରତ ସାହୁ କହିଛନ୍ତି। ଆଜି ସବୁଠି ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ସୁନ୍ଦରଗଡ଼ରେ ୩୭, ମାଲକାନଗିରିରେ ୩୫.୨, ଗୋପାଳପୁର ଓ ଫୁଲବାଣୀରେ ୩୪, ପୁରୀରେ ୩୧.୮, ଭୁବନେଶ୍ୱରରେ ୩୦.୮, ଚାନ୍ଦବାଲିରେ ୩୦.୨, ଅନୁଗୁଳରେ ୩୦.୧ ଓ ଭବାନୀପାଟଣାରେ ୩୦ ଡିଗ୍ରି ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫ ଓ ସର୍ବନିମ୍ନ ୧୮ ଡିଗ୍ରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର