ଥମୁନି ବର୍ଷା, ବନ୍ୟା ଆଶଙ୍କା : ମହାନଦୀ ବ୍ୟତୀତ ସବୁ ନଦୀ ବଢ଼ୁଛି, ୨୮ରେ ପୁଣି ଘୂର୍ଣ୍ଣିବଳୟ, ୨ ଯାଏ ବର୍ଷା

ଭୁବନେଶ୍ବର : ୪୮ ଘଣ୍ଟା ଧରି ଅବିଶ୍ରାନ୍ତ ଭାବେ ଜାରି ରହିଛି ବର୍ଷା। ଭୁବନେଶ୍ବରରୁ ବାଲେଶ୍ବର ହେଉ ଅଥବା ପୁରୀରୁ ବଲାଙ୍ଗୀର। ସବୁଠି ଲାଗିରହିଛି ବର୍ଷା। କେଉଁଠି ଲୋକଙ୍କ ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଓ ଡ୍ରେନ୍‌ ବର୍ଷା ଜଳରେ ସମାନ ହୋଇଯାଇଛି। ସ୍ଥିତି ଏମିତି ହୋଇଛି ଯେ ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ଅପରାହ୍ନଠାରୁ ଆରମ୍ଭ ହୋଇଥିବା ବର୍ଷା

ଆଜି ବି ଜାରି ରହିଛି। ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ପାଗରେ ପରିବର୍ତନ ଆସିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି।

ଘୂର୍ଣ୍ଣିବଳୟ ଓ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ‌ଢେଙ୍କାନାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ‌ତେଣୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

୪୮ ଘଣ୍ଟା ଧରି ବର୍ଷା ଲାଗିରହିଥିବାରୁ ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅପରାହ୍ନ ୩ଟା ସୁଦ୍ଧା ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାବ୍ୟତୀତ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବଂଶଧାରା, ଋଷିକୂଲ୍ୟା ଓ ଦେବୀ ନଦୀର ଜଳସ୍ତରର ବୃଦ୍ଧି ପାଇଛି। ଉକ୍ତ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଥିଲେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ। ହୀରାକୁଦର ଜଳସ୍ତର ଆଜି ଅପରାହ୍ନ ୩ଟା ସୁଦ୍ଧା‌ ୬୨୯.୯୭ ଫୁଟ୍‌ ରହିଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଆସନ୍ତା ୨୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାରଠାରୁ ବର୍ଷା ପରିମାଣ କମିବ। କିନ୍ତୁ ୨୯ରୁ ପୁଣି ବଢ଼ିବ। ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବ ମୁଖ୍ୟତଃ ପୁରୀ, ଜଗତ୍‌ସିଂହପୁର, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାଦ୍ବାରା ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ କେନ୍ଦ୍ରୀୟ ‌ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତାକାଲିଠାରୁ ବର୍ଷା କମିବ। ତେବେ ଦୁଇ ଦିନ ପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ଫଳରେ ଉତ୍ତର ଉପକୂଳ ଓ ଉତ୍ତର ଓଡ଼ିଶାରେ ଅକ୍ଟୋବର ୨ ଯାଏ ବର୍ଷା ଲାଗିରହିବ। ରାଜ୍ୟର ଅନ୍ୟ ଅଞ୍ଚଳରେ ବର୍ଷା କମିଯିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ।

ଗତ ୩୬ ଘଣ୍ଟା ମଧ୍ୟ‌ରେ ଭୁବନେଶ୍ବର‌ରେ ସବୁଠାରୁ ଅଧିକ ବର୍ଷା ହୋଇଛି। ଏଠାରେ ୧୪୧.୬ ମିମି ବର୍ଷା ହୋଇଥିବା ବେଳେ କଟକରେ ୧୧୪, ବାଲେଶ୍ବରରେ ୧୧୨.୨, ପୁରୀରେ ୯୯.୩, ପାରାଦୀପରେ ୯୮.୬, ଗୋପାଳପୁରରେ ୯୮.୨, ବଲାଙ୍ଗୀରରେ ୬୪, ଚାନ୍ଦବାଲିରେ ୫୫.୮, ଝାରସୁଗୁଡ଼ାରେ ୫୨.୯, ବାରିପଦାରେ ୪୯, କେନ୍ଦୁଝରରେ ୪୫.୫, ଦାରିଙ୍ଗବାଡ଼ିରେ ୪୧, ସୋନପୁରରେ ୩୮.୨, ସୁନ୍ଦରଗଡ଼ରେ ୩୨,କୋରାପୁଟରେ ୨୯.୮, ଅନୁଗୁଳରେ ୨୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର