ଆଜି ସୁଦ୍ଧା ରାଜ୍ୟରେ ୧୩% ଅଧିକ ବର୍ଷା

ଭୁବ‌ନେଶ୍ବର : ରାଜ୍ୟରେ ମୌସୁମୀ ଠିକ୍‌ ସମୟରେ ପ୍ରବେଶ କରିଥିଲା। ଏଥିସହ ରାଜ୍ୟରେ ଭଲ ବର୍ଷା ମଧ୍ୟ ହୋଇଯାଇଛି। ଜୁନ୍‌ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୩ ପ୍ରତିଶତ ଅତିରିକ୍ତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉପକୂଳର ୫ଟି ଜିଲ୍ଲାକୁ ଛାଡ଼ି ଦେଲେ, ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। କିଛି କିଛି ସ୍ଥାନରେ ଅତ୍ୟଧିକ ବର୍ଷା ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଚଳିତବର୍ଷ ରାଜ୍ୟରେ ଭଲ ବର୍ଷା ହେବା ସହ ଚ‌ାଷ ପାଇଁ ଅନୁକୂଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୧ ଜୁନ୍‌ରୁ ୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୧୨.୨ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ୨୭୫.୭ମିମି ବର୍ଷା ହେବା କଥା। ଚଳିତବର୍ଷ ଏହି ସମୟ ମଧ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ଟି ଜିଲ୍ଲାରେ ଅଧିକ କିମ୍ବା ସାଧାରଣ ବର୍ଷା ହୋଇଛି। ସେଥିମଧ୍ୟରୁ ମାଲକାନଗିରିରେ ସବୁଠାରୁ ଅଧିକ ଅର୍ଥାତ ୭୧% ଅତିରିକ୍ତ ବର୍ଷା ହୋଇଛି। ବାକି ୨୪ ମଧ୍ୟରୁ ୧୦ଜିଲ୍ଲାରେ ଅତ୍ୟଧିକ ବର୍ଷା, ୧୪ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅଧିକ କିମ୍ବା ସ୍ବାଭାବିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ। ଜୁନ୍‌ରେ ବି ଏହି ୫ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗତ ଦୁଇ ଦିନର ବର୍ଷାରେ ବି ଅଭାବୀ ବର୍ଷା ହୋଇଥିବା ‌ରେକର୍ଡ କରାଯାଇଛି। ବାକି ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷା ସାଧାରଣ ବା ପ୍ରବଳ ହୋଇଛି।

Kerala Kaumudi

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ-ପୂର୍ବ ଝାରଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହି ଲଗୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୮ ତାରିଖ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ସେ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ। ୯ ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୧୦ ତାରିଖ ଦିନ କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରାଜ୍ୟରେ ମୌସୁମୀକୁ ସକ୍ରିୟ କରିଛି। ଗତକାଲି ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଭଦ୍ରକର ଆଖୁଆ‌ପଦାରେ ୧୨୧.୨ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ାର ଲଇକେରା ୧୦୧.୦ ମିମି, ଯାଜପୁର ୯୮.୦ ମିମି, କନ୍ଧମାଳର ବାଲିଗୁଡ଼ାରେ ୮୬.୦ମିମି, ନବରଙ୍ଗପୁର ଝୋରିଗାମରେ ୯୧.୨ ମିମି ଓ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ୮୪.୦ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର