ଆସନ୍ତା ୨ ଦିନ ରାଜ୍ୟରେ କାଁ ଭାଁ ବର୍ଷା

ଭୁବନେଶ୍ୱର : ମୌସୁମୀ ଟ୍ରଫ୍‌ର ଉତ୍ତର-ଦକ୍ଷିଣ ପାର୍ଶ୍ବ ଏବେ ଉତ୍ତରପ୍ରଦେଶରୁ ଦକ୍ଷିଣ ଓଡ଼ିଶା ହୋଇ ଛତିଶଗଡ଼ ଦେଇ ଗତି କରୁଛି। ଏହା ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ ୪.୫ମିମି ଉପରେ ରହିଛି। ଏଥିସହ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଅସ୍ପଷ୍ଟ ହେବାରେ ଲାଗିଛି। ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ମାତ୍ରା କମିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ। ସେହିପରି ୧୨ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବଲା‌ଙ୍ଗୀରର କାଁ ଭାଁ କେତୋଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ୧୩ ଓ ୧୪ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜରେ ୧୩ ତାରିଖ ଦିନ ଓ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଆଦି ଜିଲ୍ଲାରେ ୧୪ ତାରିଖ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର