୨୦ରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟ‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପର ରୂପରେଖ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୧୩ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଏବେ ଦୁର୍ବଳ ହୋଇଯାଇଛି। ଅନ୍ୟପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଛି। ତେଣୁ ଆସନ୍ତା ୩ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ସ୍ବାଭାବିକଠାରୁ ୨/୩ ଡିଗ୍ରି ଅଧିକ ରହିବ। ୩ ଦିନ ଧରି ଏପରି ସ୍ଥିତି ଲାଗି ରହିବା ପରେ ୧୯ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ଆସିବ। ୨୦ ତାରିଖ ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା କରାଇବ।

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏଥିସହ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ଝଡ଼ତୋଫ‌ାନ ଜନିତ ବର୍ଷା ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାମ୍‌ରେ ସର୍ବାଧିକ ୭୧.୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୪୨.୬ମିମି, ଗଞ୍ଜାମ ଜିଲ୍ଲା ଆସିକାରେ ୩୫.୪ମିମି, କନ୍ଧମାଳ ଜିଲ୍ଲା କୋଟାଗଡ଼ରେ ୫୨.୦ମିମି ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ୩୧.୪ମିମି ଲେଖାଏଁ ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର