୪୮ ଘଣ୍ଟାରେ ଲଘୁଚାପ, ୬ ଓ ୭ରେ ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଆଜି ଉପକୂଳ ଓ ଆଭ୍ୟନ୍ତରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବ‌ନେଶ୍ବର : ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପ‌ରେ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ୬ ଓ ୭ ତାରିଖ ଆଡ଼କୁ ବିସ୍ତାରିତ ଭାବେ ବର୍ଷା ହେବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ଅଧିକ ରହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଓ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ସମଗ୍ର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ଜଣାପଡ଼ିଛି।

ଶନିବାର ଅପରାହ୍ନ ପ୍ରବଳ ବର୍ଷାରେ ଭୁବନେଶ୍ବର ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତା ଜଳମଗ୍ନ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୬ ତାରିଖ ଦିନ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି ରହିବ। ବିଶେଷ କରି କୋରାପୁଟ, ଗଜପତି, ପୁରୀ, ଖୋର୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ମାଲକାନଗିରି, ରାୟଗଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ସେହିପରି ୭ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଅବଶିଷ୍ଟ ସ୍ଥାନଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ପରେ ୫ ଦିନ ବ୍ୟବଧାନ‌ରେ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଧ୍ୟ ଓଡ଼ିଶାରେ ଭଲ ବର୍ଷାର ବି ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟରେ ମୌସୁମୀର ସ୍ଥିତିକୁ ନଜର ଦେଲେ ଜଣାପଡ଼ୁଛି, ଏବେ ବି ରାଜ୍ୟରେ ୩୦% ଅଭାବୀ ବର୍ଷା ସ୍ଥିତି ଜାରି ରହିଛି। ୧ ଜୁନ୍‌ରୁ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ୬୭୭.୨ ମିମି ହୋଇଯାଇଛି।। ଏହି ସମୟରେ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୯୫୪.୭ମିମି ବର୍ଷା ହୋଇଥାଏ। ୬ ଜିଲ୍ଲାରେ ଯଥା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ଓ ଖୋର୍ଧା ଆଦି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଯାଇଛି। ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଅନୁଗୁଳ, ଯାଜପୁର, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ୬ ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର