ରାଜ୍ୟରେ ୫ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଦିନ ପ୍ରାକ୍‌-ମୌସୁମୀ ବର୍ଷା ହୋଇଛି। ଏହା ରାଜ୍ୟର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ପାଇଁ ବାଟ ଫିଟାଇଛି। ଆଜିଠାରୁ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି)ରୁ ଅତିପ୍ରବଳ ବର୍ଷା (୧୧୦ରୁ ୨୦୦ ମିମି) ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ ଆଜି ମଧ୍ୟପ୍ରଦେଶ ଓ ଗୁଜରାଟର ଆଉ କିଛି ଅଞ୍ଚଳ ସମେତ ବିଦର୍ଭର ଅବଶିଷ୍ଟ ଅଞ୍ଚଳ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାରର ‌କେତେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଛି। ଆସନ୍ତା ୨ରୁ ୩ ଦିନରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ, ଛତିଶଗଡ଼ ଓ ଓଡ଼ିଶାର କେତେକ ଅଞ୍ଚଳ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ଅବଶିଷ୍ଟ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ।

ଅପରପକ୍ଷେ ରବିବାରଠାରୁ ରାଜ୍ୟରେ ପ୍ରାକ୍‌-ମୌସୁମୀ ବର୍ଷାର ପ୍ରଭାବ ବଢ଼ିଛି। ଆଜି ଉପକୂଳ ଓଡ଼ିଶା ଯଥା, ବାଲେଶ୍ବର, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ଗଞ୍ଜାମ ଆଦି ଜିଲ୍ଲା ସମେତ ନୟାଗଡ଼, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସହ କନ୍ଧମାଳ, ଗଞ୍ଜମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ୨୧ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ୨୨ ତାରିଖ ଦିନ ସୁନ୍ଦରଗଡ଼, ହେବଗଡ଼, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲା ସମେତ ୨୩ ତାରିଖ ଦିନ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ରବିବାର ଦିନ ରାଜଧାନୀରେ ଦିନତମାମ୍‌ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ଅପରାହ୍‌ଣରୁ ବର୍ଷା ଆରମ୍ଭ ହୋଇଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀ ସମେତ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ବର୍ଷାର ମଧ୍ୟ ସମ୍ଭାବନା ରହିଛି। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର