ଜୁନ୍‌‌ରେ ନିଅଣ୍ଟିଆ ବର୍ଷା, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ବର : ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ପହିଲାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତିକି ପରିମାଣର ବର୍ଷା ହେବା କଥା ତାହା ହୋଇ ନାହିଁ। ତିନିଟି ଜିଲ୍ଲାରେ ସ୍ଥିତି ଏବେ ବି ସାଙ୍ଘାତିକ ରହିଛି। ସ୍ବାଭାବିକଠାରୁ ୪୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୨୦୮ ମିମି ବର୍ଷା ହେବା କଥା। ମାତ୍ର ୧୨୫.୧ ମିମି ବର୍ଷା ହୋଇଛି। କେନ୍ଦ୍ରାପଡ଼ା ସମେତ ପୁରୀ, ସୁନ୍ଦରଗଡ଼ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୬୦%ରୁ ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ, ଜୁନ୍‌ ୧୬ରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା। ସେବେଠାରୁ ବର୍ଷା ସ୍ବାଭାବିକ ଭାବେ ଲାଗିରହିଛି। ଏହି ସମୟ ମଧ୍ୟରେ ୧୦୪ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବୋଲି କୁହାଯାଇପାରେ।

ଏପଟେ ଏବେ ବି ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ। କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ଗୁରୁବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ‌ଯାଜପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଉପକୂଳ ଓଡ଼ିଶା ସମେତ ଦେବଗଡ଼, ସମ୍ବଲପୁର, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଧିକ। ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କଟକରେ ଏବଂ ଶନିବାର ଉପକୂଳ ଓଡ଼ିଶା ସମେତ ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ପ୍ରଭାବ ରହିବ। ପ୍ରବଳ ବର୍ଷା ଓ କାଳବୈଶାଖୀକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଆଜି ମଧ୍ୟ ସତର୍କ ସୂଚନା ଜାରି ହୋଇଛି। ‌ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ଢେଙ୍କାନାଳରେ ୧୦ ସେମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, କୋରାପୁଟର ପଟାଙ୍ଗି, କନ୍ଧମାଳର ଚକାପାଦ, ଯାଜପୁରରେ ୫ ସେମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଆଜି ଦିନରେ ପାରଳାଖେମୁଣ୍ଡିରେ ୪୫ ମିମି ଓ ବରଗଡ଼ରେ ୨୭.୬ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର