ଉପକୂଳରେ ଦିନସାରା ବର୍ଷିଲା; ଆଜିଠାରୁ ବର୍ଷା କମିବ, ୧୯ରୁ ପାଗ ଶୁଖିଲା

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ଲଘୁଚାପ ବଳୟ ସକ୍ରିୟ ରହିଛି ଓ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏ ଲମ୍ବିଛି। ଏହାର ପ୍ରଭାବରେ ଶନିବାର ଭୋର୍‌ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିଲା। ସକ୍ରିୟ ଲଘୁଚାପ ପ୍ରଭାବରେ ଭୁବନେଶ୍ବର ଓ କଟକ ସହରରେ ପ୍ରବଳରୁ ଅତିପ୍ରବଳ ବର୍ଷା (ଘଣ୍ଟା ପ୍ରତି ୨୦୦ରୁ ୩୦୦ ମିମି) ହୋଇଯାଇଛି। ଉପକୂଳ ଓଡ଼ିଶା ଉପରେ ରହିଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି।

ମୌସୁମୀଜନିତ ନିମ୍ନଚାପ ରେଖା ଶନିବାର ଦିନ ଉତ୍ତର-ପୂର୍ବ ଆରବ ସାଗର ଅଞ୍ଚଳର ଅବପାତର କେନ୍ଦ୍ରରୁ ବାହାରି ଭାବାନଗର, ଇନ୍ଦୋର, ଜବଲପୁର, ପେନ୍ଦ୍ରା ରୋଡ୍‌, ଝାରସୁଗୁଡ଼ା, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର କେନ୍ଦ୍ର ଦେଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ଆଜି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଏଥିସହ ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଶନିବାର ଅପରାହ୍ନ ୨.୩୦ ସୁଦ୍ଧା ଅର୍ଥାତ ୩୬ ଘଣ୍ଟାରେ ଭୁବନେଶ୍ବରରେ ୫୬.୭ ମିମି ବର୍ଷା ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ର କହିଛି, ଆଜିଠାରୁ ବର୍ଷା ପ୍ରକୋପ କମିବ। ୧୭ ଓ ୧୮ ତାରିଖ ଦୁଇ ଦିନ ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ୧୮ ତାରିଖ ଦିନ ମଧ୍ୟ ଏସବୁ ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷିପାରେ। ଏହାପରେ ୧୯ ତାରିଖଠାରୁ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ ୨୩୪ ମିମି ବର୍ଷା ହୋଇଯାଇଛି। ଯାହାକି ସ୍ବାଭାବିକଠାରୁ ଅଧିକ। ୧୭ରୁ ୩୧ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା (କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ)ରେ ସମୁଦାୟ ବର୍ଷା ସ୍ବାଭାବିକଠାରୁ କମ୍‌ ରହିବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ସ୍ବାଭାବିକ ବା ଏହାର ପାଖାପାଖି ରହିବ। ତେବେ ଜୁଲାଇ ମାସର ବର୍ଷା କଥା ହିସାବକୁ ନେଲେ ବର୍ଷା ସ୍ବାଭାବିକ ରହିବ। ୧୭ ତାରିଖ ଯାଏ ଓଡ଼ିଶା ଉପରେ ଲଘୁଚାପ ବଳୟ ରହିବ। ତା’ ପରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଭାରତକୁ ମୁହାଁଇ ଏହା ମୌସୁମୀ ଟ୍ରଫ୍‌କୁ ସଂଯୋଗ କରିବ। ଫଳରେ ମୌସୁମୀ ଅଧିକ ଶକ୍ତିଶାଳୀ ହୋଇ ପଞ୍ଜାବ, ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା କରାଇବ ବୋଲି ସେ କହିଛନ୍ତି।

ଜୁଲାଇ ୨୦ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାଦ୍ବାରା ମୌସୁମୀ ଟ୍ରଫ୍‌ ଉତ୍ତରାଭିମୁଖୀ ହେବନାହିଁ। ଏହାର ପୂର୍ବଭାଗ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିବ। ଫଳରେ ଓଡ଼ିଶା ସମେତ ଉତ୍ତର ଭାରତରେ ବର୍ଷା ହେବ। ୨୧ରୁ ଆଭ୍ୟନ୍ତର ଓଡ଼ିଶା ଓ ୨୩ରୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ୨୪ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

Image Courtesy of NDTV

ଜୁଲାଇ ୧ରୁ ୧୭ ମଧ୍ୟରେ ମାଲକାନଗିରିରେ ସବୁଠାରୁ ଅଧିକ (୪୦୧ ମିମି) ବର୍ଷା ହୋଇଥିବା ବେଳେ ଗଜପତିରେ ସବୁଠାରୁ କମ୍‌ (୧୫୫ମିମି) ବର୍ଷା ହୋଇଛି। ଚଳିତ ବର୍ଷ ଜୁଲାଇରେ କୌଣସି ଜିଲ୍ଲାରେ ଚାଷ ପାଇଁ ନିଅଣ୍ଟିଆ ବର୍ଷା ହୋଇନାହିଁ। ଏଣୁ ବର୍ତ୍ତମାନ ବୁଣାବୁଣି ଶୀଘ୍ର ସାରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି। ସଅଳ ଧାନତଳି କରାଯାଇଥିଲେ ରୋଇବାକୁ ସେ ପରାମର୍ଶ ଦେବା ସହ କପା, ହରଡ଼ ଓ ଚିନାବାଦାମକୁ ବିଳମ୍ବ ନ କରି ଶୀଘ୍ର ଲଗାଇବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର