ନୂଆବର୍ଷକୁ ସ୍ୱାଗତ କରିବ କୋହଲା ପାଗ, କାଁ ଭାଁ ବର୍ଷା

୪ରୁ ଖେଳିଯିବ ଶୀତ ଲହରୀ, ୧୦° ତଳେ ୧୨ଟି ସ୍ଥାନ

ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ପାଗ ମୁଖ୍ୟତଃ କୋହଲା ରହିବ। କାଁ ଭାଁ ବର୍ଷା ବି ହୋଇପାରେ। ପାରଦ ବଢ଼ିବ ୩° ଯାଏଁ। ତେବେ ନୂଆବର୍ଷ ପାଳନର ସ୍ପୁର୍ତିକୁ ସେତେଟା ଫିକା କରିପାରିବ ନାହିଁ ଆସନ୍ନ ବର୍ଷା କି କୋହଲା ପାଗ। ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରୁଛି। ଏହାର ପୂର୍ବାନୁମାନ ଅନୁଯାୟୀ ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ବର୍ଷାର ପରିମାଣ କମ୍‌ ହେବ, ଏଥିପାଇଁ ପରିସ୍ଥିତି ସେତେ ଅନୁକୂଳ ନ ଥିବାରୁ କାଁ ଭାଁ ବର୍ଷା ହେବ। ଏପରି କି ଆଦୌ ବର୍ଷି ନପାରେ। ୩୧ ଯାଏଁ କୁହୁଡ଼ି ସୃଷ୍ଟି ହେବ। ବର୍ଷା ପାଗ ଛାଡ଼ିଗଲା ପରେ ୪ ତାରିଖ ବେଳକୁ ପୁଣି ଅନେକ ସ୍ଥାନରେ ଶୀତ ଲହରୀ ଖେଳିଯିବ।

ସୂଚନାନୁସାରେ ବଙ୍ଗୋପ ସାଗର ଆଡ଼ୁ ଗୁରୁଚାପ ଏବଂ ପଶ୍ଚିମ ଦିଗରୁ ଟ୍ରଫ୍‌ର ସମ୍ମିଶ୍ରଣରେ ୩୧ ଓ ୧ ତାରିଖ ସକାଳୁ ପାଗ କୋହଲା ରହିବ। ଉପକୂଳର ଗୋଟିଏ କି ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ୧, ୨ ତାରିଖରୁ ଉପକୂଳ ସହିତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଧିକ। ବର୍ଷା ହେଉ ବା ନ ହେଉ, ଜାନୁଆରି ପହିଲା ବେଳକୁ ସର୍ବନିମ୍ନ ତାପମାତ୍ରା ୩° ଯାଏଁ ବଢ଼ିଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କିନ୍ତୁ ସର୍ବୋଚ୍ଚ ତାପମାତ୍ରା ୧ରୁ ୨° ପର୍ଯ୍ୟନ୍ତ କମିଯିବାର ସମ୍ଭାବନା ରହିଛି। ୨ ଯାଏ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମୃଦୁରୁ ଘନ କୁହୁଡ଼ି ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆଜି ରାଜ୍ୟର ଅନୁଗୁଳ, ବଲାଙ୍ଗୀର, ଭବାନୀପାଟଣାରେ ଶୀତ ଲହରୀ ପରିସ୍ଥିତି ଦେଖାଦେଇଥିଲା। ଆସନ୍ତାକାଲି ପାଗ ଶୁଖିଲା ରହିବା ଫଳରେ ଥଣ୍ଡା ଲାଗି ରହିବ। ତେବେ ୩୧ରୁ ଥଣ୍ଡା କମିବାକୁ ଲାଗିବ ବୋଲି କୁହାଯାଇଛି। ଆଜି ରାଜ୍ୟର ୧୨ଟି ସ୍ଥାନରେ ୧୦°ରୁ ତଳକୁ ଖସିଛି ପାରଦ। ଦାରିଙ୍ଗିବାଡ଼ିରେ ୩.୫° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୪.୫°, ହୀରାକୁଦରେ ୭.୨°, ସୁନ୍ଦରଗଡ଼ରେ ୮°, ଭବାନୀପାଟଣାରେ ୮.୨°, ଅନୁଗୁଳ, କୋରାପୁଟରେ ୯°, ବଲାଙ୍ଗୀରରେ ୯.୫°, ଝାରସୁଗୁଡ଼ାରେ ୯.୬°, ସମ୍ବଲପୁର, ସୋନପୁରରେ ୯.୮°, କେନ୍ଦୁଝରରେ ୯.୯° ରେକର୍ଡ ହୋଇଛି। ଉପକୂଳର ବାଲେଶ୍ୱର, କଟକରେ ୧୧.୮°, ଭୁବନେଶ୍ୱରରେ ୧୩° ରହିଛି।

ସମ୍ବନ୍ଧିତ ଖବର