ତାପମାତ୍ରା ଖସିଲା, ୧୧ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ସାରା ରାଜ୍ୟର ତାପମାତ୍ରା ଆଜି ପୁଣିଥରେ ହ୍ରାସ ପାଇଛି। କେବଳ ମାଲକାନଗିରିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ତଳେ ରହିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ କିଛିଟା ଫରକ ଦେଖିବାକୁ ମିଳିଛି। ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ କୋହଲା ପାଗ ଜାରି ରହିଛି। ଏଭଳି ସ୍ଥିତି ଆଉ ଦୁଇ ଦିନ ଜାରି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ। କାଁ ଭାଁ ମଧ୍ୟମ ଧରଣର ବର୍ଷା ହେବାର ବି ଆଶଙ୍କା କରାଯାଉଛି। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢ଼େଙ୍କାନାଳ ପରି ଜିଲ୍ଲାର ଅଳ୍ପ କେତୋଟି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କିନ୍ତୁ ଘନ କୁହୁଡ଼ି ଲାଗି ରହିବବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ତାଳଚେର ଓ ସୋନପୁରରେ ୩୪ ଡିଗ୍ରି ରହିଥିଲା। ଭବାନୀପାଟଣାରେ ୩୩.୫, ଭୁବନେଶ୍ୱରରେ ୩୩.୨, ସମ୍ବଲପୁରରେ ୩୨.୯, ହୀରାକୁଦ ଓ ଝାରସୁଗୁଡ଼ାରେ ୩୨.୮, ଟିଟିଲାଗଡ଼ ଓ କଟକରେ ୩୨.୫ ଡିଗ୍ରି ରେକର୍ଡ ହୋଇଛି। ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ଉପରକୁ ଚାଲିଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।