୨୮ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ଫଳରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆଜି ମଧ୍ୟ ରାଜ୍ୟର ବିଶେଷ ବର୍ଷା ହୋଇନାହିଁ। ଖରାର ପ୍ରଭାବ ବଢ଼ିଛି। ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ଯେ ମୌସୁମୀ ଟ୍ରଫ୍‌ ଏବେ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଏହି ସମୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ଏହା ଅତି ନଗଣ୍ୟ ରହିବ ତଥା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ୨୬ ତାରିଖ ଅପରାହ୍ନରୁ ୨୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହାର ପରିମାଣ ବି ଖୁବ୍‌ ଅଳ୍ପ ରହିବ। ୨୮ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ବଢ଼ିପାରେ। ଭୁବନେଶ୍ବର ଓ କଟକ ସହରରେ ଆସନ୍ତାକାଲି ପାଗ ଆଂଶିକ ମେଘୁଆ ରହିବ। ବର୍ଷାର ସମ୍ଭାବନା ବହୁତ କମ୍‌ ରହିବ।

୧ ଜୁନରୁ ୨୫ ଜୁଲାଇ ଯାଏ ରାଜ୍ୟରେ ସମୁଦାୟ ୪୫୪.୫ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ୪୮୬.୭ ମିମି ବର୍ଷା ହେବା କଥା। ଅର୍ଥାତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬% ନିଅଣ୍ଟିଆ ବର୍ଷ‌ା ରେକର୍ଡ ହୋଇଛି। ଖୋର୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦% ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ୪୦.୩ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର