ଆଉ ୧୨ ଘଣ୍ଟା ବର୍ଷା, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ

୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୦ ଜିଲ୍ଲା ପାଇଁ ୟେ‌ଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ମୌସୁମୀ ସକ୍ରିୟ ରହିଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ୮୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ପୂର୍ବାହ୍ନ ଯାଏ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୦ ଜିଲ୍ଲା ପାଇଁ ୟେ‌ଲୋ ୱାର୍ଣ୍ଣିଂ ଦିଆଯାଇଛି। କୌଣସି ପ୍ରକାର ବିପର୍ଯ୍ୟୟ ମୁକାବିଲା ଲାଗି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଶୁକ୍ରବାର ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ସମୟ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଧା, କୋରାପୁଟ, ବରଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଶନିବାରଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା ପରିମାଣ କମିବ। ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ଶନିବାର ଓ ରବିବାର ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଶୁକ୍ରବାର ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ୪ ଦିନ ଅର୍ଥାତ୍‌ ୧୭ ତାରିଖ ଯାଏ ବିଶେଷ ବର୍ଷା ନାହିଁ। ଏହି ସମୟ ମଧ୍ୟରେ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କେତେକ ସ୍ଥାନରେ ଖରାଟିଆ ବା ଆଂଶିକ ମେଘୁଆ ରହିପାରେ। ତେବେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ଉପକୂଳ‌ରେ ୧୫ ଓ ୧୬ ତାରିଖରେ ସ୍ବଳ୍ପ(୧୫ ମିମିରୁ କମ୍‌) ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୧୪୧.୬ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୦୪ ମିମି, ବାରିପଦାରେ ୬୭.୬, ବଲାଙ୍ଗୀରରେ ୪୯, ମାଲକାନଗିରିରେ ୪୪.୨, କଟକରେ ୪୩.୮, ହୀରାକୁଦରେ ୪୨.୩, ଭୁବନେଶ୍ବରରେ ୪୦.୮, ସମ୍ବଲପୁରରେ ୪୦ ମିମି ବର୍ଷା ହୋଇଛି। ଆଜି ରାତିରେ ବି ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର