ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶ ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଜି ଦିନତମାମ ଝିପିଝିପି ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବି ଏଭଳି ପାଗ ଲାଗି ରହିବ। ବିଶେଷକରି କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ବ୍ୟତୀତ ଆହୁରି କୁହାଯାଇଛି ଯେ ୨୪ ତାରିଖରେ ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ, ୨୫ରେ ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଅନୁଗୁଳ, କନ୍ଧମାଳ, ବୌଦ୍ଧ ଓ ମୟୂରଭଞ୍ଜ, ୨୬ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ତେବେ ୨୭ ତାରିଖ ଅର୍ଥାତ ଦୀପାବଳି ବେଳକୁ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳଠାରୁ କିଛି ଦୂରରେ ରହିଥିଲା। ଏଥିସହ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୁମ୍ବାଇଠାରୁ କିଛି ଦୂରରେ ରହିଛି। ୨୪ ତାରିଖରେ ବଙ୍ଗୋପସାଗରୀୟ ଲଘୁଚାପ ଆରବସାଗରୀୟ ଲଘୁଚାପ ସହ ମିଶିବା ଦ୍ବାରା ଏକ ବିସ୍ତୀର୍ଣ୍ଣ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ବଙ୍ଗୋପସାଗରୀୟ ପୂର୍ବା ପବନ ଓଡ଼ିଶା ଦେଇ ଆରବ ସାଗରକୁ ପ୍ରବାହିତ ହେବ। ୨୬ ତାରିଖରେ ତାମିଲନାଡ଼ୁ ଉପକୂଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ଏହା ଅପେକ୍ଷାକୃତ ଦୁର୍ବଳ ରହିବ। ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ପୂର୍ବା ପବନ ଉତ୍ତର ପଶ୍ଚିମ ଭାରତରେ ଥିବା ଗୁରୁଚାପ ଆଡ଼କୁ ମୁହାଁଇବ। ତେଣୁ ରାଜ୍ୟରେ ବର୍ଷା କମିଯିବ।
ଅନୁମାନ କରାଯାଉଛି ଯେ ୨୪ ତାରିଖ ଦିନ ଚାନ୍ଦବାଲିଠାରୁ ପୁରୀ ପର୍ଯ୍ୟନ୍ତ ସମୁଦ୍ର ନିକଟବର୍ତ୍ତୀ(ସମୁଦ୍ରତଟରୁ ୫୦ କିମି ଦୂର ପର୍ଯ୍ୟନ୍ତ) ଅଂଚଳରେ ସ୍ବଳ୍ପ ବର୍ଷା ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସୋନପୁରରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନାରହିଛି। ସେହିପରି ପୁରୀଠାରୁ ଗୋପାଳପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ମଧ୍ୟମ ଧରଣ ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରେ ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜରେ ହାଲକା ବର୍ଷା, କେନ୍ଦ୍ରାପଡ଼ାରୁ ଗଞ୍ଜାମ ପର୍ଯ୍ୟନ୍ତ, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ରାୟଗଡ଼ା ଓ କୋରାପୁଟରେ ସ୍ବଳ୍ପରୁ ମଧ୍ୟମ, ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୬ରେ କଳାହାଣ୍ଡିରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ମଧ୍ୟମଧରଣ, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ କୋରାପୁଟରେ ହାଲକା ବର୍ଷା, କେନ୍ଦ୍ରାପଡ଼ାରୁ ଗଞ୍ଜାମ ପର୍ଯ୍ୟନ୍ତ ସମୁଦ୍ର ନିକଟବର୍ତ୍ତୀ(୪୦ କିମି) ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ୨୭ରେ କଳାହାଣ୍ଡି ଓ ବଲାଙ୍ଗୀରରେ ହାଲକା ଓ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଶୁଖିଲା ଓ ଖରାଟିଆ ପାଗ ରହିବ। ବାକି ଅଞ୍ଚଳରେ ସକାଳ ସମୟରେ ମେଘୁଆ ରହିବାର ସମ୍ଭାବନା ଥିଲା ବେଳେ ଅପରାହ୍ନରେ ଶୁଖିଲା ରହିବ। ୨୫ ତାରିଖ ରାତିରେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ଫଳରେ ଶୀତ ଅନୁଭୂତ ହେବ। ୨୬ ତାରିଖରେ ତାପମାତ୍ରା ସାମାନ୍ୟ ବଢ଼ିଲେ ମଧ୍ୟ ପରବର୍ତ୍ତୀ ୪ ଦିନ ତାହା ଅପରିବର୍ତ୍ତିତ ରହିବ। ୨୪ରୁ ୨୭ ଯାଏ ପଶ୍ଚିମ ଓଡ଼ିଶାରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବିଶେଷ କମିବା ହେତୁ ପାଗ କୋହଲା ରହିବ। ଗତ ୩୬ ଘଣ୍ଟାରେ ପୁରୀରେ ସର୍ବାଧିକ ୧୧୫.୨ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଗୋପାଳପୁରରରେ ୭୦.୭, ବାଲେଶ୍ବରରେ ୩୪.୮, ଭୁବନେଶ୍ବରରେ ୩୧.୧, ପାରାଦୀପରେ ୨୬.୧, ବାରିପଦାରେ ୨୦.୪, କଟକ ଓ ଦାରିଙ୍ଗବାଡ଼ିରେ ୧୪, ଚାନ୍ଦବାଲିରେ ୧୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ବାକି ସ୍ଥାନରେ ବି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।