ଘୂର୍ଣ୍ଣିବଳୟ ସକ୍ରିୟ; ୪୮ ଘଣ୍ଟା ପ୍ରବଳ ବର୍ଷା : ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ୫ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ

ଦେବଗଡ଼ ବ୍ୟତୀତ ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷା

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋ‌ପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ‌ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ଭାବ୍ୟ ଅତିପ୍ରବଳ ବର୍ଷର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ୨୪ ଓ ୨୫ ତାରିଖ ଲାଗି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ପା‌ଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଘୂର୍ଣ୍ଣିବଳୟଟି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଗତକାଲି ରାତିଠାରୁ ବର୍ଷାର ପରିମାଣ ବଢ଼ିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ‌ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ। ବାଲେଶ୍ବର, ପୁରୀ, କଟକ, ଭୁବନେଶ୍ବର, ଖୋର୍ଧା, ଗଞ୍ଜାମ, ଝାରସୁଗୁଡ଼ା, ତା‌‌ଳଚେର ଆଦି ସହରରେ ବର୍ଷା ହେଉଛି। ୨୪ ତାରିଖ ତଥା ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଧା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ୨୬ରେ ସୁନ୍ଦରଗଡ଼, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ବର୍ଷା ହେବ। ଗତ ୨୪ ଘଣ୍ଟା ମଧ୍ୟ‌ରେ ଗୋପାଳପୁରରେ ସର୍ବାଧିକ ୫୨.୬ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ୪୯.୪, ଭୁବନେଶ୍ବରରେ ୪୬.୭, ଚାନ୍ଦବାଲିରେ ୩୯.୫, ତାଳଚେରରେ ୩୦, ଝାରସୁଗୁଡ଼ାରେ ୨୩.୬, ପୁରୀରେ ୨୩, ସମ୍ବଲପୁରରେ ୧୬, ପାରାଦୀପରେ ୧୪.୩, ଭବାନୀପାଟଣାରେ ୧୦ ମିମି ବର୍ଷା ହୋଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଘୂର୍ଣ୍ଣିବଳୟ ପ୍ରଭାବ ମୁଖ୍ୟତଃ ଉତ୍ତର ଓ ଉପକୂଳ ଓଡ଼ିଶା ଉପରେ ରହିବ। ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବି ବର୍ଷା ହେବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ପଶ୍ଚିମ ସୀମାନ୍ତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ୨୬ ତାରିଖଠାରୁ ବର୍ଷା କମିବ। ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ। ବର୍ଷା କମ୍‌ ହେବ।

ଅନ୍ୟପକ୍ଷ‌ରେ ଜୁନ୍‌ ପହିଲାରୁ ଗତକାଲି ସୁଦ୍ଧା ଦେବଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଦେବଗଡ଼ରେ ନିଆଣ୍ଟିଆ ବର୍ଷା ପରିମାଣ ୨୧.୮ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ୨୧ ତାରିଖ ସୁଦ୍ଧା ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ୨୭.୭ ପ୍ରତିଶତ ଅଧିକ ବର୍ଷା‌ ହୋଇଛି। ବଲାଙ୍ଗୀରରେ ୨୭.୮, କନ୍ଧମାଳରେ ୨୩.୨, କୋରାପୁଟରେ ୪୩.୩, କଳାହାଣ୍ଡିରେ ୪୦.୮, ନବରଙ୍ଗପୁରରେ ୨୨.୭, ମାଲକାନଗିରିରେ ସ୍ବାଭାବିକଠାରୁ ୩୮.୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାକି ୨୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ରାଜ୍ୟର ୫୨ଟି ବ୍ଲକରେ ନିଆଣ୍ଟିଆ ବର୍ଷା ହୋଇଥିବାବେଳେ ୮ଟି ବ୍ଲକରେ ଅତି ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର