ଆଜି ୯ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର : କାଳବୈଶାଖୀ ପାଇଁ ରାଜ୍ୟରେ ଏବେ ଅନୁକୂଳ ପରିବେଶ ରହିଛି। ଫଳରେ ଗତ କିଛି ଦିନ ହେଲା ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେଉଛି, ଏଥିପାଇଁ ରାଜ୍ୟର ତାତି ବିଶେଷ ବଢ଼ୁନାହିଁ। ଆସନ୍ତାକାଲି ମଧ୍ୟ ରାଜ୍ୟର ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶୁକ୍ରବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନବରଙ୍ଗପୁରରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ଏଥିସହ ଉପକୂଳ ଓଡ଼ିଶାର ଖୋର୍ଧା ଓ ଅନୁଗୁଳ ଜିଲ୍ଲା ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିଥିବା ରେକର୍ଡ ହୋଇଛି। ଆଜି ରାଜଧାନୀ ଭୁବନେଶ୍ବର ସମେତ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ବି ତାପମାତ୍ରା ୩୯ ଡିଗ୍ରି ଛୁଇଁଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଦିନର ତାପମାତ୍ରା ୩୮ ଡିଗ୍ରି ଓ ରାତି ତାପମାତ୍ରା ୨୩ ଡିଗ୍ରି ଭିତରେ ରହିବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର