ଫୁଲବାଣୀରେ ଘୂର୍ଣ୍ଣିଝଡ଼: ତିନି ମିନିଟ୍‌ର ତାଣ୍ଡବରେ ଉଡ଼ିଲା ଚାଳଛପର

ଶତାଧିକ ଗଛ ଓ ୬୦ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଲା, କୋଟିଏରୁ ଅଧିକ ଟଙ୍କାର କ୍ଷୟକ୍ଷତି, ୨୦ରୁ ଅଧିକ ଆହତ

ଫୁଲବାଣୀ: ଫୁଲବାଣୀ ଓ ଏହାର ଆଖପାଖରେ ଆଜି ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ସକାଳ ୮.୧୨ ମିନିଟରୁ ଆରମ୍ଭ ହୋଇ ୮.୧୫ ଯାଏ ମାତ୍ର ତିନି ମିନିଟରେ ଫୁଲବାଣୀ ସହର ସମେତ ଆଖପାଖ ୮ରୁ ୧୦ କିଲୋମିଟର ପରିଧି ମଧ୍ୟରେ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଚାଳଛପର ଘର ଉଡ଼ି ଯାଇଥିବା ବେଳେ ଶତାଧିକ ଗଛ ଓ ୬୦ରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗଛ ପଡ଼ି ଅନେକ କ୍ୟାବିନ୍‌ ନଷ୍ଟ ହୋଇଛି। କଲେଜ ଛକରେ ଗଛ ପଡ଼ିଯିବାରୁ ଏକ କାର୍‌ ଚୂରମାର ହୋଇଯାଇଛି। ସେହିଭଳି ମେଡିକାଲ୍‌ ଛକରେ ପ୍ରୟାସ ପକ୍ଷରୁ ଚାଲିଥିବା ଏକ ଟ୍ୟୁଟୋରିଆଲ୍‌ କ୍ଲାସ୍ ଉପରେ ଗଛ ପଡ଼ିଯିବାରୁ ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ ୧୫ରୁ ୨୦ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ପ୍ରଶିକ୍ଷିକା ପ୍ରିୟତମା ନାୟକ କହିଛନ୍ତି। ଆହତ ଛାତ୍ରଙ୍କୁ ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଏହି ଛକରେ ଥିବା ଜଣେ ଉଠାଦୋକାନୀ କାମିନୀ ବେ‌ହେରା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ଯାଉଥିବା ରୋହିନ ବେହେରା ଓ ଅଭୟ ଦିଗାଲଙ୍କ ଉପରେ ଗଛ ପଡ଼ିଯିବାରୁ ଉଭୟ ଆହତ ହୋଇଛନ୍ତି।

ଗଛ ପଡ଼ି କାର୍‌ ଓ କ୍ୟାବିନ୍‌ ଚେପା, ଟ୍ୟୁଟୋରିଆଲ୍‌ର ୨୦ ଛାତ୍ରଛାତ୍ରୀ ଆହତ

ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିଯିବା ଯୋଗୁଁ ସରବରାହ ବନ୍ଦ ହୋଇଛି। ‌ଟେଲିଫୋନ ଓ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଯାଇଛି। ରାସ୍ତା ଉପରେ ଗଛ ପଡ଼ିବା ଯୋଗୁଁ ସହରରେ ୪ରୁ ୫ ଘଣ୍ଟା ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ଓ ଟିମ୍‌ ହ୍ୟୁମାନିଟି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ରାସ୍ତା ସଫା କରାଯାଇଥିଲା। ଏସ୍‌ପି ପ୍ରତୀକ ଗୀତା ସିଂଙ୍କ ନେତୃତ୍ବରେ ତୁରନ୍ତ ଭଙ୍ଗା ଗଛ, ଖୁଣ୍ଟ ସଫା କରି ଯାନବାହନ ଚଳାଚଳ ସ୍ବାଭାବିକ କରା ଯାଇଥିଲା। ଫୁଲବାଣୀ ସମେତ ଆଖପାଖ ରୁଜାଙ୍ଗି, ମୂଳରୁଜାଙ୍ଗି, ଆଲାନି, ତିଲକପଡ଼ା, ତେରାଗୁଡ଼ା, ଡାକପାଜୁ ଓ ଗୁଦାରୀରେ ମଧ୍ୟ ଘୂର୍ଣ୍ଣିଝଡ଼ର ପ୍ରଭାବ ରହିଥିଲା। ପାଖାପାଖି କୋଟିଏରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ତେବେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପରେ ସବିଶେଷ ରି‌ପୋର୍ଟ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଦିଆଯିବ ବୋଲି କୁହାଯାଇଛି। ରାତି ୮ଟା ପର୍ଯ୍ୟନ୍ତ ଫୁଲବାଣୀ ଓ ଏହାର ଆଖପାଖ ଅଞ୍ଚଳ ଅନ୍ଧକାର ମଧ୍ୟରେ ରହିଥିବା ରାତିରେ ଫୁଲବାଣୀ ସହରକୁ ସଂଯୋଗ ସ୍ବାଭାବିକ ହେବ ବୋଲି ସାଉଥ୍‌କୋ ପକ୍ଷରୁ କୁହାଯାଇଛି। ବୌଦ୍ଧ, ଗଂଜାମ, ଏନଟିପିସିର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ମରାମତି କ‌ାମ ଚଳାଇଛନ୍ତି। ଘୂର୍ଣ୍ଣିଝଡ଼ ଯୋଗୁଁ ସାଉଥ୍‌କୋର ୨୦ ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର