ରାୟଗଡା: ଗତ ଦୁଇ ଦିନ ହେଲା ଲଗାଣ ବର୍ଷାରେ ଜିଲ୍ଲା ବେହାଲ ହୋଇପଡ଼ିଛି। ବର୍ଷା ଯୋଗୁଁ ସବୁ କାମ ଠପ୍ ହୋଇ ପଡ଼ିଥିବା ବେଳେ ଲୋକେ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡ଼ିଛି। ଲଗାଣ ବର୍ଷାରେ ଲୋକେ ହିନସ୍ତା ହୋଇଥିଲେ ମଧ୍ୟ ଚାଷୀକୁଳ ପାଇଁ ଏହା ଖୁସି ଖବର ଆଣି ଦେଇଛି। ରାୟଗଡ଼ାରେ ବର୍ଷାର ଦେଖାନଥିବା ବେଳେ ଲଘୁଚାପ ବର୍ଷା ଅଳ୍ପ ଆଶ୍ବସ୍ତି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଗଛଗୁଡ଼ିକ ଉପୁଡ଼ି ପଡିଥିବା ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଗଛଗୁଡ଼ିକକୁ ରାସ୍ତାରୁ ହଟାଯାଇଥିଲା। ବର୍ଷା ନଥିବାରୁ ଜମି ଫାଟି ଆଁ କରିଥିବା ବେଳେ ଏହି ବର୍ଷା ଚାଷୀଙ୍କ ଖୁସି ଦେଇଛି।
ଜିଲ୍ଲାରେ ଧାନ ଚାଷ ପ୍ରଭାବିତ ହେବା ନେଇ କୃଷି ବିଭାଗ ମଧ୍ୟ ସ୍ବୀକାର କରୁଥିବା ବେଳେ ଆଗାମୀ ଦିନରେ ଜଦି ଏଭଳି ବର୍ଷା ହୁଏ ତେବେ ଧାନ ଫସଲ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଇଛି। ସେହିପରି ଜିଲ୍ଲାରେ ଧାନ ଫସଲ ଠାରୁ ଅଧିକା କପା ଚାଷ କରାଯାଉଥିବାରୁ ଏହି ବର୍ଷା କପା ଚାଷ ପାଇଁ ମଧ୍ୟ ବେଳ ଫଳପ୍ରଦ ହୋଇଛି। ପାଣି ନଥିବାରୁ ଚାଷୀ ଚିନ୍ତାରେ ଥିଲେ। ଗତକାଲି ଠାରୁ ଦିନ ତମାମ ବର୍ଷା ଲାଗି ରହିଥିବାରୁ ସମସ୍ତ ପ୍ରକାର କାମଧାମ ଏକ ପ୍ରକାର ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ବସ୍ତି ଅଂଚଳରେ ରହୁଥିବା ଲୋକେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି।
ସେହିପରି ଶ୍ରମିକ ଏବଂ ଦିନ ମଜୁରିଆମାନେ ମଧ୍ୟ ଏହି ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ରାସ୍ତାରେ ଛତା ଧରି ଚାଲିବା ମଧ୍ୟ ମୁସକିଲ ହୋଇପଡିଥିଲା। ଗତ ଜୁନ ମାସରୁ ଏଭଳି ବର୍ଷା ନଥିବା ସ୍ଥାନୀୟ ଲୋକେ କହିଥିଲେ। ଏତେ ଦିନ ପରେ ବର୍ଷା ହେବା ଦ୍ବାରା ଲୋକେ ଖୁସି ଥିଲେ ମଧ୍ୟ ଲଗାଣ ବର୍ଷାରେ ହିନସ୍ତା ହୋଇଥିଲେ।