ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଗତ ଦୁଇ ଦିନ ହେଲା ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ନଦୀ ନାଳରେ ପାଣି ଫୁଲିବାରେ ଲାଗିଛି।ନାଗାବଳୀ,ବଂଶଧାରା, କଲ୍ୟାଣୀ ଇତ୍ୟାଦି ନଦୀରେ ପାଣି ଫୁଲୁଥିବାରୁ ନିକଟସ୍ଥ ଗ୍ରାମଗୁଡିକରେ ସତର୍କ କରାଯାଇଛି। ବଂଶଧାରା ନଦୀରେ ବର୍ତ୍ତମାନ ୭୮ ମିଟର ପାଣି ଭର୍ତ୍ତି ହୋଇଥିବା ଜଣାପଡିଛି। ୮୪ ମିଟର ହେଲେ ବିପଦ ସଂକେତ ଆଡକୁ ଯିବ ବୋଲି କୁହାଯାଇଛି। ଲଗାଣ ବର୍ଷରେ କାଶୀପୁର ବ୍ଲକର ଲାକରିସ ଏବଂ ତଳ ପାଡ଼ିଖାଲ ଗ୍ରାମରୁ ଆସିଛି ଦୁଃଖଦ ଖବର। ତଳଝିରି ପଞ୍ଚାୟତ ଲାକରିସ ଗ୍ରାମର ମିନ୍ଦରୀ ମାଝୀ ଦୟନୀୟ ଅବସ୍ତାରେ ଏକ ଝାଟି ମାଟି ଘରେ ବାସ କରୁଥିବାବେଳେ ଲଗାଣ ବର୍ଷରେ ଘରର ସମ୍ପୂର୍ଣ କାନ୍ଥ ଭୁଶୁଡି ପଡିଛି।

Advertisment

publive-image

ସେହିପରି ତଳ ପାଡ଼ିଖାଲ ଗ୍ରାମର ସଦନ ମାଝିଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ସମ୍ପୂର୍ଣ ଭୁଶୁଡି ପଡିଛି। ସରକାରୀ ସହାୟତା ଆଶା ରଖିଥିବା ବେଳେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝୀ ଏବଂ ବିଜୁ ଜନତା ଦଳର କର୍ମୀମାନେ ପଲିଥିନ ଏବଂ ଚାଉଳ ସହିତ ଶୀତବସ୍ତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି କରାଯାଇଛି। ଜିଲ୍ଲାରେ ରେକର୍ଡ କରାଯାଇଥିବା ବର୍ଷା ଜଳ ଅନୁଯାୟୀ ରାୟଗଡା ବ୍ଲକରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ କୋଲନରା ବ୍ଲକରେ ୪୨ ମିମି, କଲ୍ୟାଣସିଂହପୁରରେ ୭୨ ମିମି, କାଶୀପୁରରେ ୬୩ ମିମି, ଗୁଣୁପୁରରେ ୨୭ ମିମି, ପଦ୍ମପୁରରେ ୪୪ ମିମି, ଗୁଡାରିରେ ୫୮ ମିମି, ରାମନାଗୁଡ଼ାରେ ୨୯ ମିମି, ବିଷମକଟକରେ ୦ ମିମି, ମୁନିଗୁଡ଼ାରେ ୫୫ ମିମି ଏବଂ ଚନ୍ଦ୍ରପୁରରେ ୨୯ ମିମି ବର୍ଷା ହୋଇଛି।

ଲଗାଣ ବର୍ଷା ଲାଗି ରହିଥିବାରୁ ତଳି ପକାଇଥିବା ଚାଷୀ ଏବା ରୂଆ ଆରମ୍ଭ କଲେଣି। ଜମିଗୁଡିକରେ ରୁଆ ପାଇଁ ମହିଳା ପୁରୁଷମାନେ ଧାଡି ବାନ୍ଧି ରୁଆ କାମ କରୁଥିବା ଦେଖିବାକୁ ମିଳିଛି। ଜୁଲାଇରେ ବର୍ଷାର ପରିମାଣ କମିଥିବା ବେଳେ ଅଗଷ୍ଟରେ ବର୍ଷା ଚାଷ ପାଇଁ ଅନୁକୂଳ ହେବ ବୋଲି କୁହାଯାଇଛି। ପାହାଡିଆ ନଦୀ ଫୁଲୁ ଥିବାରୁ ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେଉଥିବା ମଧ୍ୟ କୁହାଯାଇଛି। ବିଶେଷକରି ରାୟଗଡାର ସୀମାନ୍ତ ଗ୍ରାମ, କାଶୀପୁର ବ୍ଲକର ନଦୀକୂଳିଆ ଗ୍ରାମ, ପଦ୍ମପୁର, ଗୁଣୁପୁର, ଚନ୍ଦ୍ରପୁର ଭଳି ବ୍ଲକରେ ରହିଥିବା ନଦୀକୂଳିଆ ଗ୍ରାମଗୁଡିକ ବହୁ ହଇରାଣ ହେବେ ବୋଲି କୁହାଯାଇଛି। ଜିଲ୍ଲାର ବହୁ ଗ୍ରାମ ପାହାଡ ନିକଟରେ ରହିଥିବା ଯୋଗୁଁ ପାହାଡରୁ ପାଣି ଖସି ଗାଁରେ ପଶୁଥିବା ଦେଖିବାକୁ ମିଳିଛି। ତେଣୁ ଲୋକେ ଲଗାଣ ବର୍ଷା ଲାଗି ରହିଲେ ବହୁ ହଇରାଣ ହେବେ। ପ୍ରଶାସନ ତରଫରୁ ଏହି ଗ୍ରାମଗୁଡିକରେ ସହାୟତାର ହାତ ବଢାଇବାକୁ ଦାବି ହୋଇଛି।