ରାଉରକେଲା: ଇସ୍ପାତ ସହରରେ ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବାବେଳେ କିଛି ସମୟପରେ ତାହା ବନ୍ଦ ହୋଇଯାଇଥିଲା। ତେବେ ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା କମିବାର ନାଁ ନେଉନି। ଯଦିଓ ପ୍ରବଳ ବର୍ଷା ହେଉନି, କିନ୍ତୁ ଦିନସାରା ଝିପିଝିପି ବର୍ଷା ଲାଗିରହିଛି। ଗମନାଗମନା ବହୁମାତ୍ରାରେ ପ୍ରଭାବିତ ହୋଇଛି। ଶୁକ୍ରବାର ସକାଳ ୮ଟାରୁ ଶନିବାର ସକାଳ ୮ଟା ମଧ୍ୟରେ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୪.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଶନିବାର ବର୍ଷାର ପରିମାଣ ଢ଼େର୍‌ ଅଧିକ ହେବ।
Advertisment
କେବଳ ରାଉରକେଲା ନୁହେଁ, ବରଂ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ। ଆଜି ମଧ୍ୟ ବିଭିନ୍ନ ବ୍ଲକରେ ପ୍ରବଳ ବର୍ଷା ହୋଇଛି, ତେବେ ନିର୍ଦ୍ଦିଷ୍ଟ କେତେ ପରିମାଣରେ ବର୍ଷା ହୋଇଛି ତାହା ପାଣିପାଗ ବିଭାଗ ପକ୍ଷରୁ ରବିବାର ସକାଳ ୮ଟାରେ ଆନୁଷ୍ଠାନିକଭାବେ ଘୋଷଣା କରାଯିବ। ତେବେ ଗତ ୨୪ ଘଣ୍ଟାରେ ବଣାଇଁରେ ସର୍ବାଧିକ ବର୍ଷା ହୋଇଥିବାବେଳେ ସବଡେଗା ବ୍ଲକରେ ଆଦୌ ବର୍ଷା ହୋଇନି।
ବଣାଇ ବ୍ଲକରେ ୧୦୫ ମିଲିମିଟର ବର୍ଷା ହୋଇଥିବାବେଳେ ଲହୁଣିପଡ଼ାରେ ୫୩ ମିଲିମିଟର, ନୂଆଗାଁରେ ୪୭.୩ ମିଲିମିଟର, ବିଶ୍ରାରେ ୪୫.୨ ମିଲିମିଟର, ଗୁରୁଣ୍ଡିଆରେ ୪୪ ମିଲିମିଟର, କୁଆରମୁଣ୍ଡାରେ ୩୩.୬ ମିଲିମିଟର, ଲାଠିକଟାରେ ୨୬ ମିଲିମିଟର, ରାଜଗାଙ୍ଗପୁରରେ ୨୫.୨ ମିଲିମିଟର, କୋଇଡ଼ାରେ ୨୪ ମିଲିମିଟର ବର୍ଷା ହୋଇଥିଲା। ଅପରପକ୍ଷରେ କୁତ୍ରାରୁ ହେମଗିର ବ୍ଲକ ଯାଏ, ଅପେକ୍ଷାକୃତ କମ୍‌ ବର୍ଷା ହୋଇଥିଲା। ହେମଗିରରେ ୧୯ ମିଲିମିଟର ବର୍ଷା ହୋଇଥିବାବେଳେ ଲେଫ୍ରିପଡ଼ାରେ ୫ ମିଲିମିଟର, ଟାଙ୍ଗରପାଲିରେ ୩.୪ ମିଲିମିଟର, ସୁନ୍ଦରଗଡ଼ରେ ୨.୬ ମିଲିମିଟର, ବାଲିଶଙ୍କରାରେ ୧୦.୨ ମିଲିମିଟର, ବଡ଼ଗାଁରେ ୬.୮ ମିଲିମିଟର ଓ କୁତ୍ରାରେ ୮ ମିଲିମିଟର ବର୍ଷା ହୋଇଥିଲା। ଉଲ୍ଲେଖଯୋଗ୍ୟ, ବର୍ଷା ଅଭାବ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଚାଷ ଆଶାନୁରୂପ ହୋଇନଥିଲା। ଏମିତିକି ଧାନ ଚାଷ ବହୁତ ପଛେଇ ଯାଇଥିଲା। ତେବେ ଗତଦୁଇଦିନ, ଶୁକ୍ରବାର ଓ ଶନିବାରର ବର୍ଷା ଚାଷ ପାଇଁ ବହୁମାତ୍ରାରେ ସହାୟକ ହେବ।