ମନୁଷ୍ୟକୃତ ବିପତ୍ତିରୁ ବଞ୍ଚାଇଲା ପ୍ରକୃତି ! ଶିମିଳିପାଳରେ ବର୍ଷା ବେଳେ ଆନନ୍ଦରେ ଆତ୍ମହରା ହୋଇ ନାଚିଲେ ମହିଳା ବନ କର୍ମଚାରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର : ଗତ ଦୁଇ ସପ୍ତାହ ଧରି ଜଳୁଥିଲା ଶିମିଳିପାଳ। ବନାଗ୍ନି କବଳିତ ହୋଇ ହଜାର ହଜାର ସ୍ଥାନରେ ଜଳୁଥିଲା ଜଙ୍ଗଲ। ନିଆଁ ଧାସରେ ପୂରା ଜଙ୍ଗଲ ହୋଇଉଠିଥିଲା ଉତ୍ତପ୍ତ। ବନବିଭାଗ ନିଆଁକୁ ଲିଭାଇବାରେ ଅସଫଳ ହୋଇଥିଲା । ରାଜ୍ୟସରକାର, ରାଜନେତା, ପରିବେଶପ୍ରେମୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦାଙ୍କ ଯାଏଁ ସସସ୍ତେ ବିଚଳିତ ହୋଇଉଠିଥିଲେ। ତଥାପି ଥମିବାର ନାମ ନେଉ ନଥିଲା ନିଆଁ। ଆଉ ବନାଗ୍ନି ପଛରେ ମନୁଷ୍ୟକୃତ କାରଣ ରହିଛି ବୋଲି ଅଭିଯୋଗ ଆସିଲା । କୁହାଗଲା, ଶିକାରି ଓ ଜଙ୍ଗଲ ମାଫିଆ ନିଜ ଅପରାଧକୁ ସୁଗମ କରିବାକୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାରୁ ଏପରି ବଡ଼ଧରଣର ଅଗ୍ନିକାଣ୍ଡ ଘଟିଗଲା। ଏକଥାକୁ ଅସ୍ବୀକାର କରାଯାଇପାରିବ ନାହିଁ । ଅନ୍ୟପଟେ ବନ ବିଭାଗର ଉଦାସୀନତା ଓ ନିଆଁ ଲିଭାକାର୍ଯ୍ୟରେ ବିଳମ୍ବ ଏପରି ବଡ଼ ବିପତ୍ତିକୁ ଡ଼ାକି ଆଣିଥିଲା ବୋଲି ମଧ୍ୟ କୁହାଯାଉଛି। ତେବେ ଏହି ମନୁଷ୍ୟକୃତ ବିପତ୍ତି ଭୟଙ୍କର ରୂପ ନେବା ପୂର୍ବରୁ ହିଁ ପ୍ରକୃତି ତାହାକୁ ପ୍ରଶମିତ କରିଦେଇଛି।

ଆଜି ଅପରାହ୍ଣରେ ଶିମିଳିପାଳ ଅଞ୍ଚଳରେ ବିଜୁଳି ଘନଘଡ଼ି ସହ ବଡ଼ ବର୍ଷା ହୋଇ ଜଙ୍ଗଲ ନିଆଁକୁ ବହୁଳାଂଶରେ ଲିଭାଇ ଦେଇଛି। ଆଉ ଏହି ପ୍ରକୃତିର ଏହି ବରଦାନ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ନିଆଁ ଲିଭାଉ ଥିବା ବନ କର୍ମଚାରୀଙ୍କୁ ଆଶ୍ବସ୍ତ କରିଛି। ଜଙ୍ଗଲରେ ନିଆଁ ସହ ଲଢ଼ୁଥିବା ଜଣେ ମହିଳା ବନକର୍ମଚାରୀଙ୍କ ଭିଡିଓ ଏହା ଦର୍ଶାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ମହିଳା ବନକର୍ମଚାରୀ ଜଙ୍ଗଲ ଭିତରେ ବର୍ଷା ହେଉଥିବା ଦେଖି ଖୁସିରେ ଆତ୍ମହରା ହୋଇଉଠିଛନ୍ତି। ଆନନ୍ଦରେ ଚିତ୍କାର କରି କହୁଛନ୍ତି- ଆସିଲାରେ ବର୍ଷା…ବହୁତ ଜୋରରେ ବର୍ଷା.. ଲିଭିଗଲା ମୋ ନିଆଁ ଲିଭିଗଲା, ପୂରା ଲିଭିଗଲା। କେବଳ ସେ ନୁହେଁ ଶିମିଳିପାଳରେ ବର୍ଷା ଓ ବନାଗ୍ନି ପ୍ରଶମିତ ହେବା ଖବର ଏ ନେଇ ବିଚଳିତ ଥିବା ସମସ୍ତଙ୍କୁ ଆନନ୍ଦ ଦେଇଛି। ଶେଷରେ ନିଜର ଧ୍ବଂସକୁ ରକ୍ଷା କରିବାକୁ ନିଜେ ସାମ୍ନାକୁ ଆସବାକୁ ବାଧ୍ୟ ହୋଇଛି ପ୍ରକୃତି।

ପ୍ରକୃତି ହିଁ ଶିମିଳିପାଳର ନିଆଁକୁ ଲିଭାଇ ଦେଇଛି । ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଂଜ ସମେତ ନିକଟବର୍ତୀ ବନାଂଚଳର ୬ଟି ରେଞ୍ଜରେ ପ୍ରବଳ ବର୍ଷା ହୋଇଛି । କେବଳ ବର୍ଷା ହୋଇନି ଘଡ଼ଘଡ଼ି ସହ କୁଆ ପଥର ମଧ୍ୟ ପଡ଼ିଛି । ପିଠାବଟା ରେଞ୍ଜର ଉତ୍ତର ଓ ଦକ୍ଷିଣ ପାର୍ଶ୍ବ, ଡୁକୁଡ଼ା, ଠାକୁରମୁଣ୍ଡା, ପୋଡ଼ାଡି ଏବଂ ବାଙ୍ଗିରିପୋଷୀ ରେଞ୍ଜରେ ପ୍ରବଳ ବର୍ଷା ହୋଇଛି । ଆଉ ଏହି ବର୍ଷା ଜଳୁଥିବା ନିଆଁକୁ ସଂପୂର୍ଣ୍ଣ ଲିଭାଇ ଦେଇଥିବା ବେଳେ ବର୍ଷା ହୋଇ ନଥିବା ଅଂଚଳରେ ମଧ୍ୟ ନିଆଁ ଲିଭାଇବାରେ ସହାୟକ ହୋଇଛି । କାରଣ, ଥଣ୍ଡା ପବନ ସାଙ୍ଗକୁ ନିଆଁ ଲିଭାଇବା ପାଇଁ ନିଯୁକ୍ତ ଥିବା କର୍ମଚାରୀଙ୍କ କାମକୁ ଆହୁରି ସହଜ କରିଦେଇଛି ।

ଏସବୁ ଭିତରେ ପାଣିପାଗ ବିଭାଗର ପୂର୍ବାନୁମାନ ଜଳୁଥିବା ଜଙ୍ଗଲ ପାଇଁ ଏକ ଶୁଭ ସୂଚନା ଆଣିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ ଲାଇନ୍ ଥିବାରୁ ବର୍ଷା ହେବାର ସମ୍ଭାବନା ବଢ଼ିଛି ।

ସମ୍ବନ୍ଧିତ ଖବର