ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା, ଜଙ୍ଗଲ ନିଆଁ ପ୍ରଶମିତ ହେବା ଆଶା

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ କୁଆପଥର ସହ ବର୍ଷା ହୋଇଯାଇଛି। ପିଠାବଟା, ଠାକୁରମୁଣ୍ଡା, ବାଙ୍ଗିରିପୋଷୀ ସମେତ ଶିମିଳିପାଳର ୬ଟି ରେଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାଯାଇଛି। ଅପରାହ୍ଣରେ ହଠାତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଅଧିକାଂଶ ସ୍ଥାନରେ ଭଲ ପରିମାଣର ବର୍ଷା ସହ କୁଆପଥର ବି ପଡ଼ିଛି। ଏହା ଫଳରେ ପ୍ରାକୃତିକ ପ୍ରକ୍ରିୟାରେ ନିଆଁ ଲିଭିଯିବ ବୋଲି ଆଶା କରାଯାଉଛି।

ତେବେ ବିଗତ ୨ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ମୟୂରଭଂଜ ସମେତ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିଲେ।। ନିଆଁକୁ ଆୟତ୍ତ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁ ନଥିଲା, ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।

ତେଣେ ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଛନ୍ତି । ଓଡ଼ିଶାର ନେତୃବୃନ୍ଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟି ଶିମିଳିପାଳ ଜାତୀୟ ଉଦ୍ୟାନରେ ବନାଗ୍ନି ନେଇ ନିଜର ଉଦବେଗ ଜଣାଇଛନ୍ତି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି  ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ପଠାଉଛି ବୋଲି ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ ଜାଭଡେକର ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଏହି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଘଟଣାର ଅନୁଧ୍ୟାନ କରି ରାଜ୍ୟ ବନ ବିଭାଗକୁ ବୈଷୟିକ ପରାମର୍ଶ ଦେବା ସହ ଶିମିଳିପାଳ ଓ ଏହାର ଆଖପାଖରେ ଥିବା ଫାୟାର ପଏଣ୍ଟକୁ ଲିଭାଇବା ଦିଗରେ ସାହାଯ୍ୟ କରିବ। ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ବନାଗ୍ନି ସମସ୍ୟା ନେଇ ମୁଁ ସମୀକ୍ଷା କରିବି ବୋଲି କହିଛନ୍ତି ଶ୍ରୀ ଜାଭଡେକର।

ସମ୍ବନ୍ଧିତ ଖବର