ଭୁବନେଶ୍ବର: ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସକାଳୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିଲା। ଧୀରେ ଧୀରେ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ପୁରୀ ଉପକୂଳରେ ସ୍ଥଳ ଭାଗ ଛୁଇଁଛି। ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ସନ୍ଧ୍ୟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଗଭୀର ଅବପାତ ସ୍ଥିତିରେ ଗତି କରିଥିଲା। ମଧ୍ୟ ରାତ୍ରି ବେ‌ଳକୁ ଏହା ଦୁର୍ବଳ ହେବା ସହ ଅବପାତରେ ପରିଣତ ହୋଇଛି। ମଙ୍ଗଳବାର ସକାଳୁ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତ ରୂପରେ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ। ପ୍ରଭାବରେ ଦକ୍ଷିଣ, ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। ରିପୋର୍ଟ ଲେଖାଯିବା ବେଳକୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେଉଛି। ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ କରାଯିବା ସହ ସମସ୍ତ ବନ୍ଦରରେ ୩ ନମ୍ବର ବିପଦସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ରକୁ ବାରଣ ହୋଇଛି।

Advertisment

ଗଭୀର ଅବପାତ ଓଡ଼ିଶା ଉପକୂଳ ଛୁଇଁଥିବାରୁ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଓ ପୁରୀ ଜିଲ୍ଲାରେ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନ ହୋଇପାରେ। ଏହି ସମୟ ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ବରଗଡ଼, ନୂଆପ୍‌ଡ଼ା, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ଗଜପତି ଓ ସମ୍ବଲପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, କେନ୍ଦୁଝର, ଯାଜପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ବର୍ଷା ହେତୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା, ବନ୍ୟାଜଳରେ ବ୍ରିଜ୍‌ ବୁଡ଼ିବା ଓ ରାସ୍ତା ଧୋଇଯିବା କ୍ଷଣି ତୁରନ୍ତ ଯିବା ଆସିବା ଉପରେ କଟକଣା ଲଗାଇବାକୁ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। 

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୧୮ଟି ଓଡ୍ରାଫ୍‌ ଟିମ୍‌ ପଠାଯାଇଛି। ମାଲକାନଗିରି ଜିଲ୍ଲାକୁ ସର୍ବାଧିକ ୬ଟି ଟିମ୍‌ ଯାଇଥିବା ବେଳେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍‌ ଯାଇଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼ା ଓ ବୌଦ୍ଧ ଜିଲ୍ଲା ପାଇଁ ୧୨ଟି ଓଡ୍ରାଫ୍‌ ଟିମ୍‌କୁ ପ୍ରସ୍ତୁତ ରହିଛି। ମାଲକାନଗିରି ଜିଲ୍ଲାର ୫ ବ୍ଲକ୍‌ ପାଇଁ ୫ଟିରେ ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଛନ୍ତି। ନବରଙ୍ଗପୁର ଓ ଜୟପୁରରୁ ଗୋଟିଏ ଲେଖାଏ ଟିମ୍‌କୁ ମାଲକାନଗିରି ପଠାଯାଇଛି। ବଲାଙ୍ଗୀର, କୋରାପୁଟ ଓ ନିକଟବର୍ତ୍ତୀ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଯାଇଛି ଏବଂ ଦୁଇଟି ପ୍ରସ୍ତୁତ ରହିଛି। ଭୁବନେଶ୍ବରରେ ଅଧିକ ୩୦ଟି ପମ୍ପ ସମେତ କଟକ ଓ ପୁରୀରେ ୧୦ଟି ଅଧିକ ଲେଖାଏଁ ପମ୍ପ ଜଳ ନିଷ୍କାସନ କରିବାକୁ ପ୍ରସ୍ତୁତ ଅଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସ୍‌ଏସ୍‌ଇପିଡି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ଡିଭିଜନ୍‌ର ଡିଆଇଜି ଚରଣ ମୀନାଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ପଠାଯାଇଛି।
ବର୍ଷା ଦ୍ବାରା କୋରାପୁଟ ଓ ମାଲକାନଗିରି ବହୁ ପରିମାଣରେ ପ୍ରଭାବିତ ହୋଇଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ରାଜ୍ୟରେ ହାରାହାରି ୩୦.୪ ମିମି ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ୍‌ରେ ସର୍ବାଧିକ ୨୫୩ ମିମି, ଚିତ୍ରକୋଣ୍ଡାରେ ୨୨୫, ଖଇରାପୁଟରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାର କୋରୁ‌କୁଣ୍ଡା, ମାଥିଲି, କାଲିମେଳା, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ବୈପାରୀଗୁଡ଼ା ଓ ଲମତାପୁଟରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୬୨ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୩୯, ମାଲକାନଗିରିରେ ୩୮.୪, କୋରାପୁଟରେ ୩୭.୮, ସୁବର୍ଣ୍ଣପୁରରେ ୩୦.୨, ଭବାନୀପାଟଣାରେ ୨୭.୬, ଦାରିଙ୍ଗବାଡ଼ିରେ ୨୭, ନୂଆପ୍‌ଡ଼ାରେ ୨୩.୪, ଯାଜପୁରରେ ୨୨.୬ ମିମି ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ଜିଲ୍ଲାର ୩୬ଟି ଗାଁ, ୭୫୩ ଲୋକ ପ୍ରଭାବିତ ହୋଇଛନ୍ତି। ୧୫୦ଟି ଘର ଆଂଶିକ ଭାଙ୍ଗିଛି। ୫୬ଜଣଙ୍କୁ ଦୁଇଟି ରିଲିଫ୍‌ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ରିଲିଫ୍‌, ରନ୍ଧା ଖାଦ୍ୟ, ପଲିଥିନ୍‌ ଯୋଗାଇ ଦିଆଯାଇଛି। ୬ଟି ସ୍ଥାନରେ ରାସ୍ତା ନଷ୍ଟ ହୋଇଛି। ସେହିପରି ମାଲକାନଗିରି ଜିଲ୍ଲାରେ ୪ଟି ରିଲିଫ୍‌ କ୍ୟାମ୍ପକୁ ୫୦୪ଜଣ ସ୍ଥାନାନ୍ତର ହୋଇଛନ୍ତି। ସମସ୍ତ ବ୍ରିଜ୍‌ରେ ପୁଲିସ ମୁତୟନ ସହ ଚଳପ୍ରଚଳ ଉପରେ କଟକଣା ଲାଗିଛି। ୫ଟି ସ୍ଥାନରେ ରାସ୍ତା ନଷ୍ଟ ହୋଇଛି। ମାଲକାନଗିରି ଓ କାଲିମେଳା ବ୍ଲକ୍‌ ଏବଂ ୬ଟି ଗ‌ାଁ ପ୍ରଭାବିତ ହୋଇଥିବା ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି।

ସେପଟେ ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିବା ବେଳେ ଆଜି ପୂର୍ବାହ୍ନରେ ରାଜ୍ୟ ଜରୁରୀକାଳୀନ ଅପରେଟିଂ ସେଣ୍ଟରରୁ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ସେଚ ସଦନସ୍ଥିତ ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ପାଣିଘେରରେ ଶତାଧିକ ଗାଁ

ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ପାଣି ପଶିଗଲା
ଉଛୁଳୁଛି ଜଳଭଣ୍ଡାର, ଫୁଲୁଛି ନଦୀନାଳ

ମାଲକାନଗିରି/କୋରାପୁଟ/ଜୟପୁର: ଲଘୁଚାପ ଗଭୀର ଅବପାତ ରୂପ ନେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ୭୩.୩୭ ମିମି ଓ ମାଲକାନଗିରି ଜିଲ୍ଲାରେ ୧୮୧.୪୩ ମିମି ବର୍ଷା ରେକର୍ଡ ହୋଇଛି। ଏହାଫଳରେ ଶତାଧିକ ଗାଁ ଜଳବନ୍ଦି ହେବା ସହ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ମାଲକାନଗିରିରୁ ସମସ୍ତ ବ୍ଲକ ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ ଗାଁରେ ୧୦ଫୁଟ୍‌ ପାଣି ଜମି ରହିଛି। ପାଙ୍ଗାମ ପୋଲ ବୁଡ଼ିବା ପରେ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ, କାଙ୍ଗୁରୁକୁଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬, ପାଙ୍ଗାମ୍, କନ୍ୟାଶ୍ରମ ପୋଲ ବୁଡ଼ିଛି। ଚିତ୍ରକୋଣ୍ଡା ଜଳଭଣ୍ଡାର ଭର୍ତ୍ତି ହୋଇସାରିଲାଣି। ପୋଟେରୁ ଗ୍ରାମବାସୀଙ୍କୁ ପ୍ରଶାସନ ଉଦ୍ଧାର କରିଛି। ବଣ୍ଡାଘାଟିରେ ବାରମ୍ବାର ଅତଡ଼ା ଧସୁଥିଲା ବେଳେ ଚିତ୍ରକୋଣ୍ଡାର କିଛି ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ବାୟାପଡ଼ା ସହ ୧୦ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୫୪୮ ପରିବାରକୁ ପ୍ରଶାସନ ଉଦ୍ଧାର କରି ୧୪ଟି ଆଶ୍ରୟସ୍ଥଳୀରେ ରଖିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପାଇଁ ପ୍ରଶାସନ ପକ୍ଷରୁ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକରେ ପାଖାପାଖି ୨୦୦ମିମି  ଓ ଲମତାପୁଟ ବ୍ଲକରେ ୧୩୨ମିମି ବର୍ଷା ହୋଇଛି। ମାଛକୁଣ୍ଡସ୍ଥିତ ପାୱାର ହାଉସ୍‌ର ଦୁଇ ନମ୍ବର ୟୁନିଟ୍‌ରେ ପାଣି ପଶିଯିବାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି। ପରିସ୍ଥିତିର ମୁକାବିଲା ନିମନ୍ତେ ଡି.ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲି ଜଳ ନିଷ୍କାସନ ଚାଲିଛି। ଉପରକୋଲାବ ଓ ତେଲେଙ୍ଗିରି ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ଜଳଧାରଣ କ୍ଷମତାର ନିକଟତର ହୋଇଛି। ହଜାରହଜାର ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଶହେରୁ ଅଧିକ ଘର ଭାଙ୍ଗିଥିବା ରିପୋର୍ଟ ହସ୍ତଗତ ହୋଇଛି। ଦଶମନ୍ତପୁର ବ୍ଲକର ଜବାନ ନଦୀ ଏବଂ ପେଡ଼ିସିଲ୍ ନଦୀ ପୋଲ ସଂପୂର୍ଣ୍ଣ ବୁଡ଼ିଛି। ମାଠପଡ଼ା ପଞ୍ଚାୟତ ଅନ୍ତର୍ଗତ ମୂଷାପଦର ପୋଲ ଭୁଶୁଡ଼ି ଯାଇଛି। ପାଖାପାଖି ୧୦୦ଜଣ ଆଶ୍ରୟସ୍ଥଳରେ ରହିଛନ୍ତି। କ୍ଷୟକ୍ଷତି ଖବର ମିଳିବା ମାତ୍ରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚୁଥିବା ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ସୂଚନା ଦେଇଛନ୍ତି। ସେହି ଭଳି ଗତ  ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ୪୭.୧୫ ମିମି ବର୍ଷା ରେକର୍ଡ ହୋଇଛି। ଟୁରୀନଦୀ ପୋଲ ଉପରକୁ ପାଣି ଚାଲି ଆସିବାରୁ ପାପଡ଼ାହାଣ୍ଡିରୁ ଉମରକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।