୧୮ରୁ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ବର୍ଷା

ଭୁବନେଶ୍ବର : ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳ‌ବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ଓ ବର୍ଷାର ପରିମାଣ ଅଧିକ ରହିବ। ତେବେ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦକ୍ଷିଣ ଓଡ଼ିଶା ଓ କେରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

୧୮ ତାରିଖଠାରୁ ସାରା ରାଜ୍ୟରେ ପାଗ ବଦଳିବ। ବର୍ଷା ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ। ୧୮ ତାରିଖରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନୟାଗଡ଼, ଅନୁଗୁଳ, ‌ସମ୍ବଲପୁର, କଳାହାଣ୍ଡି ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ବର୍ଷା ପରିମାଣ ୩୦ରୁ ୬୦ ମିମି ରହିବ। ‌୧୯ ତାରିଖ ‌ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୨୦ ତାରିଖରେ ବି କେତେକ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ପୁରୀରେ ଜିଲ୍ଲାରେ ସର୍ବାଧିକ ୬ ମିମି ବର୍ଷା ହୋଇଥିବା ବେଳେ ବଲାଙ୍ଗିରରେ ୪, ବାଲେଶ୍ବରରେ ୩, ବାରିପଦାରେ ୩.୩, ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ବର୍ଷା ହୋଇଛି। ଭୁବନେଶ୍ବରରେ ବି ହାଲକା ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର