ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ସର୍ବାଧିକ ବର୍ଷା କଟକ ଓ ଢେଙ୍କାନାଳରେ ରେକର୍ଡ ହୋଇଯାଇଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସେହି ଅଞ୍ଚଳରେ ହିଁ ରହିଥିଲା। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ ଆଡ଼କୁ ବିସ୍ତାରିତ ଅଛି। ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ଗତି କରିବାର ସମ୍ଭାବନା ରହିଛି।
ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି କୋରାପୁଟ ଓ ମାଲକାନଗିରିର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ବଜ୍ରପାତ ଓ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ଏହିଭଳି ବର୍ଷା ଲାଗି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।