ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କଟକ ଜିଲ୍ଲାର ବାଙ୍କୀଠାରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଯାଇଛି। ଏଥିସହିତ ରାଜ୍ୟରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଯାଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଟ୍ରଫ୍‌ଲାଇନ୍‌ ବରଗଡ଼ ଜିଲ୍ଲା ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଭଲ ବର୍ଷା ହେବା ଆଶା କରାଯାଉଛି। 

Advertisment

ଆସନ୍ତା ୨ ଦିନରେ ଓଡ଼ିଶା ସମେତ ସମ୍ପୂର୍ଣ୍ଣ ବିଦର୍ଭ ଓ ଛତିଶଗଡ଼ରେ ମୌସୁମୀ ସକ୍ରିୟ ହୋଇଯିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି କିଛି ସ୍ଥାନରେ ସକ୍ରିୟ ହେବାକୁ ବାତାବରଣ ଅନୁକୂଳ ହେଉଛି। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ ରୁ ୫.୮ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତ ୧୫ ଦିନରେ ହୋଇଥିବା ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି। 

ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ଝଟ୍‌କା ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ‌ଏଥିସହ ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅବଶିଷ୍ଟ ଓଡ଼ିଶ‌ାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୮ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୦ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।