କଟକ: ବସନ୍ତ ଋତୁରେ କାଳବୈଶାଖୀ ଭଳି ହେଉଥିବା ବର୍ଷା ପବନ କଟକ ସହରବାସୀଙ୍କୁ ନୟାନ୍ତ କରିଛି। ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବର୍ଷା ପବନରେ ମାଲଗୋଦାମ ଭିତରେ ବ୍ୟାପକ କ୍ଷତି ଘଟିଛି। ପାଖାପାଖି ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀରେ ନର୍ଦ୍ଦମା ପାଣି ପଶିଯାଇଛି। ଗୋଦାମରେ ଥିବା ଡାଲି, ଚାଉଳ, ଚୁଡ଼ା, ସୋୟା ବଡ଼ି, ତେଲ ଟିଣ ଭିତରେ ପାଣି ପଶିଯାଇଛି। ହଠାତ ପାଣି ମାଡ଼ି ଆସିବାରୁ ବାହାରେ ଥିବା ଖାଦ୍ୟ ସାମଗ୍ରୀକୁ ଅଳ୍ପ ସମୟ ଭିତରେ ସ୍ଥାନାନ୍ତର କରିବା ବ୍ୟବସାୟୀଙ୍କ ପାଇଁ ସମ୍ଭବପର ନଥିଲା। ତେବେ ମାଲଗୋଦାମରେ ଏଭଳି ପାଣି ପଶିବା ଘଟଣାକୁ ନେଇ ମାଲଗୋଦାମ ବଣିକ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ସିଏମ୍ସିକୁ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉ ନଥିବା ବଣିକ ସଂଘ ଅଭିଯୋଗ କରିଛି।
ଡାଲି, ଚାଉଳ, ଚୁଡ଼ା, ସୋୟା ବଡ଼ି, ବରବାଦ
ସ୍ଥାୟୀ ସମାଧାନ କରୁନି ସିଏମ୍ସି: ବଣିକ ସଂଘ
୨୦୨୧ରେ ତାଳଦଣ୍ଡା କେନାଲ୍ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ମାଲ୍ଗୋଦାମରୁ ୫ଟି ନାଳରେ ପାଣି ସିଧାସଳଖ ଆସି ତାଳଦଣ୍ଡା କେନାଲ୍ରେ ପଡ଼ୁଥିଲା। ଏହାବାଦ୍ ଆହୁରି ଛୋଟ ନାଳ ପ୍ରାୟ ୭ଟି ଥିଲା। ଯାହାଫଳରେ ପାଣି ସହଜରେ ନିଷ୍କାସନ ହୋଇଯାଉଥିଲା। ତାଳଦଣ୍ଡା କେନାଲ୍ ସମ୍ପ୍ରସାରଣ କାମ ଚାଲିଥିବାରୁ ଜଳସେଚନ ବିଭାଗ ପକ୍ଷରୁ ନାଳଗୁଡ଼ିକ ବନ୍ଦ କରି ଦିଆଯାଇଥିଲା। ପ୍ରତି କଲଭର୍ଟ ନିକଟରେ ଅସ୍ଥାୟୀ ସମ୍ପ୍ ତିଆରି ପାଇଁ ଯୋଜନା ହୋଇଥିଲା। ସେଠାରୁ ମଟର ଯୋଗେ ପାଣି ଛତ୍ରବଜାର ପରିବା ମାର୍କେଟ୍ ଦେଇ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ ଏକ ବଡ଼ ସମ୍ପରେ ପଡ଼ିଥାନ୍ତା। ସେଠାରୁ ପୁଣି ମଟର ପମ୍ପ ଯୋଗେ ତାଳଦଣ୍ଡା କେନାଲ ଦେଇ ମାଲଗୋଦାମର ସମସ୍ତ ପାଣି ନିଷ୍କାସନ ଯୋଜନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା କେବଳ ପୁଷ୍ପାଞ୍ଜଳି ଲଜିଂ ନିକଟରେ ଥିବା କଲଭର୍ଟ ନିକଟରେ ଏକ ୪ଫୁଟିଆ କୂଅ ନନ୍ଦ ତିନୋଟି ପକାଇ ଏକ ପୁରଣା ମଟର ଯୋଗେ ପାଣି ନିଷ୍କାସନ କରାଯାଉଛି।
ଏହି ମଟର ବି ଠିକ ଢଙ୍ଗରେ କାମ କରୁନଥିବାରୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ପରିସ୍ଥିତି ଏଭଳି ହେଲାଣି ଯେ ଏବେ ନୂଆ କରି ତିଆରି ହୋଇଥିବା ଛତ୍ରବଜାର ଅର୍ବାନ୍ ହାଟର ଡ୍ରେନ୍ ପାଣି ମାଲଗୋଦାମ ଆଡ଼କୁ ବୋହି ଆସୁଛି। ଏହି ଡ୍ରେନ୍ ଉପରେ ସ୍ଲାବ୍ ପଡ଼ିଛି। ଏହାକୁ ସଫେଇ କରାଯାଉ ନଥିବାରୁ ବର୍ଷା ପାଣି ଡ୍ରେନ୍ରେ ନ ଯାଇ ସିଧା ମାଲ୍ଗୋଦାମ ଭିତରେ ପଶୁଛି। ଅନ୍ୟପଟେ ମାଲ୍ଗୋଦାମ ପଛପଟେ ଥିବା ଡ୍ରେନ୍ ଷ୍ଟେସନ୍ ବଜାରରୁ କଲେଜ ଛକ ଯାଏଁ ଲମ୍ବିଛି। ଏହି ଡ୍ରେନ୍ ବି ସଫା ହେଉନାହିଁ। ଯାହାଫଳରେ ସ୍ଥିତି ଅଧିକ ଜଟିଳ ହୋଇପଡ଼ୁଛି ବୋଲି ମାଲ୍ଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/22/6pcxA1pBv5wzJuaUuQ6w.jpg)