ଆଗକୁ ବ‌ର୍ଷା, ବଢୁଛି ସାପ କାମୁଡ଼ା; କ୍ବାକ୍‌, ଗୁଣିଆ ଭରସାରେ ଚାଲିଯାଉଛି ଅମୂଲ୍ୟ ଜୀବନ 

ଭଞ୍ଜନଗର : ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ସାପ କାମୁଡ଼ା ମାମଲା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ବର୍ଷାଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ବିଷଧର ସାପ ଘରମୁହାଁ ହୋଇଥାନ୍ତି। ବିଶେଷକରି ଗ୍ରାମାଞ୍ଚଳର ଚାଳଛପର ଓ ଆଜବେଷ୍ଟସ୍ ଘର ଗୁଡ଼ିକରେ ବି‌ଷଧର ସାପ ଅନାୟସରେ ପ୍ରବେଶ କରିଥାନ୍ତି। ତେବ‌େ ଦୁଃଖର କଥା ହେଲା, ସଚେତନତା ଅଭାବରୁ ସାପ କାମୁଡ଼ିଲେ ଗ୍ରାମାଞ୍ଚଳର ଲୋକେ ଆଶୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନଯାଇ କ୍ବାକ୍ ଓ ଗୁଣିଆ ଉପରେ ଭରସା କରିଥାନ୍ତି। ଦେହରୁ ବିଷ ବାହାର କରିବାକୁ ଝଡ଼ାଫୁଙ୍କା ସମେତ ଅନ୍ୟାନ୍ୟ ଉପାୟ ଆପଣାଇଥାନ୍ତି। ଫଳରେ ସେମାନଙ୍କ ଅମୂଲ୍ୟ ଜୀବନ ଦୀପ ଲିଭିଯାଇଥାଏ। ଗତ କିଛି ବର୍ଷ ମଧ୍ୟରେ ଭଞ୍ଜନଗର ଓ ଉପକଣ୍ଠ ଗ୍ରାମାଞ୍ଚଳରୁ ଏଭଳି ବହୁ ଘଟଣା ସାମ୍ନାକୁ ଆସିଛି। ସଚେତନତା ସତ୍ତ୍ବେ ଅଧିକାଂଶ ଲୋକ ଡାକ୍ତରଖାନାକୁ ଆସୁନାହାନ୍ତି।

ଗତବର୍ଷ ତାରସିଂ ଥାନା କୁମ୍ଭିପଲ୍ଲୀ ଗ୍ରାମରେ ଶୋଇଥିବା ଅବସ୍ଥାରେ ଜଣେ ୨୦ ବର୍ଷର ଯୁବତୀଙ୍କୁ ସାପ କାମୁଡ଼ିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ଆଣିବା ବଦଳରେ ନିକଟସ୍ଥ ସାମରଡ଼ା ଗ୍ରାମର ଜଣେ ଗୁଣିଆ ପାଖକୁ ନେଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ସେହିପରି ଗତବର୍ଷ ଜୁଲାଇରେ ସୋରଡ଼ା ବ୍ଲକ୍ ପୁଷ୍ପନଗର ଗ୍ରାମର ସୁଧାଂଶୁ ପାତ୍ରଙ୍କ ଦୁଇଝିଅ ହଠାତ୍ ସକାଳୁ ଉଠି ପେଟ କାଟୁଥିବା କହିବା ସହ ପାଟିରୁ ‌ଫେଣ ବାହାରିଥିଲା। ବିଷାକ୍ତ ସାପ କାମୁଡ଼ି ଥିବା ଭାବ‌ି ସେମାନଙ୍କୁ ଜଣେ ଜାନିଙ୍କ ପାଖକୁ ନିଆଯାଇ ଝଡ଼ାଫୁଙ୍କା ଏବଂ ଘରୋଇ ଉପଚାର କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନିଆଯାଇଥିବା ବେଳେ ଦୁଇ ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗତବର୍ଷ ଜୁନ୍ ମାସରେ ଗାଙ୍ଗପୁର ଥାନା ଇନ୍ଦନପୁର ଗ୍ରାମର ବସନ୍ତ ସ୍ବାଇଁଙ୍କ ୨୦ ବର୍ଷର ଝିଅକୁ ମଧ୍ୟ ଘର ଭିତରେ ସାପ କାମୁଡ଼ି ଥିବା ବେଳେ ବିଳମ୍ବରେ ଚିକିତ୍ସା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଭଞ୍ଜନଗର ଥାନା ବଡ଼କୋଦଣ୍ଡା ଗ୍ରାମରେ ମଧ୍ୟ ବିଜୟ ବାଡ଼ତ୍ୟାଙ୍କ ଝିଅ ବିଷଧର ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ।

ଏଭଳି ପ୍ରତିବର୍ଷ ବହୁ ଘଟଣା ଘଟୁଥିଲେ ମଧ୍ୟ ସାପ କାମୁଡ଼ାରେ ଗୁରୁତରଙ୍କୁ ଡାକ୍ତରଖାନାକୁ ଆଣିବା ବଦଳରେ ଘରୋଇ ଉପଚାର କରାଯିବା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ସାପ କାମୁଡ଼ିବା କ୍ଷଣି ଦେହରରେ ବିଷର ପରିମାଣ ଜଣା ପଡ଼ି ନଥାଏ। ଫଳରେ ତୁରନ୍ତ ଚିକିତ୍ସା କରା ନଗଲେ ଓ ଇଞ୍ଜେକ୍ସନ୍ ଦିଆ ନଗଲେ ଗୁରୁତରଙ୍କ ମୃତ୍ୟୁ ଆଶଙ୍କା ରହିଥାଏ। ଫଳରେ ଗୁଣିଆ କିମ୍ବା ନକଲି କ୍ବାକ୍‌ଙ୍କ ପାଖକୁ ନ ଯାଇ ଯଥାଶୀଘ୍ର ଡାକ୍ତରଖାନା ଆଣିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଗାଲେରୀ, ଗାଙ୍ଗପୁର, ଗୋବରା ଓ ବେଲଗୁଣ୍ଠା ଭଳି ସ୍ବାସ୍ଥ୍ୟକେନ୍ଦ୍ରରୁ ସାପ କାମୁଡ଼ାରେ ଗୁରୁତର ରେଫର୍ ହୋଇ ଆସୁଛନ୍ତି। ଏଥିସହ ଗୁରୁତରମାନେ ସିଧାସଳଖ ଭର୍ତ୍ତି ହେଉଛନ୍ତି। ଆବଶ୍ୟକ ଅନୁଯାୟୀ ୨ରୁ ୩ ଡୋଜ୍‌ ଇଞ୍ଜେକ୍ସନ୍‌ ଦିଆଯାଉଛି।

ଗତ ତିନି ବର୍ଷର ତଥ୍ୟକୁ ଅନୁଧ୍ୟାନ କରାଗଲେ, ସାପ କାମୁଡ଼ାରେ ଗୁରୁତରଙ୍କ ସଂଖ୍ୟା ଜମାରୁ ହ୍ରାସ ହେଉନି। ୨୦୧୮-୧୯ ଆର୍ଥିକ ବର୍ଷରେ ୧୨୧ ଜଣ ଗୁରୁତର ଚିକିତ୍ସିତ ହୋଇଥିବା ବ‌େଳେ ୨୦୧୯-୨୦ରେ ୧୩୯ ଜଣ ଏବଂ ୨୦୨୦-୨୧ରେ ୧୨୦ ଜଣ ଏବଂ ୨୦୨୧-୨୨ରେ ୧୦୩ ଜଣ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ବର୍ଷାଋତୁ ଆସିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସାପ କାମୁଡ଼ା ଇଞ୍ଜେକ୍ସନ୍‌ ମହଜୁଦ ରଖାଯାଇଥାଏ। ଜୁନ୍ ଦ୍ବିତୀୟ ସପ୍ତାହ ମୌସୁମି ବର୍ଷା ଆରମ୍ଭରୁ ସେ‌ପ୍ଟମ୍ବର ପର୍ଯ୍ୟନ୍ତ ସାପ କାମୁଡ଼ାରେ ଗୁରୁତର ଅଧିକ ରୋଗୀ ଆସିଥାନ୍ତି।

ସମ୍ବନ୍ଧିତ ଖବର