ଆଜିଠୁ ଦକ୍ଷିଣରେ, ୧୫ରୁ ଉପକୂଳରେ ବର୍ଷା
ଭୁବନେଶ୍ୱର : ଶ୍ରୀଲଙ୍କା ଓ ଆଣ୍ଡାମାନ ସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ଆଜି ଶ୍ରୀଲଙ୍କା ଉପକୂଳରେ ଅଛି। ଏହା ତାମିଲନାଡୁ ଦିଗରେ ଗତି କରୁଛି। ଏହା ପ୍ରଭାବରେ ସୋମବାର ଅପରାହ୍ନରୁ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ୧୫ତାରିଖରୁ ଦୁଇ ଦିନ ପାଇଁ ଉପକୂଳ ଓଡ଼ିଶା ସମେତ ବାକି ରାଜ୍ୟରେ ବର୍ଷା ହେବ। କିନ୍ତୁ ଉପକୂଳରେ ପ୍ରବଳ ବର୍ଷା ସହ ୪୦ରୁ ୪୫କିମି ବେଗରେ ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଲଘୁଚାପ ଏବେ ବହୁ ଦୂରରେ ଥିବାରୁ ବର୍ଷାର ପରିମାଣ କେତେ ହେବ ତାହା ଠିକ୍ ଭାବେ ଆକଳନ କରିହେଉନି। କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଉପକୂଳ ଓଡ଼ିଶାରେ ବାକି ରାଜ୍ୟ ତୁଳନାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶ୍ରୀ ସାହୁ କହିଛନ୍ତି।
ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି ଯେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ମାଲକାନଗିରି, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ବୁଧବାର ଠାରୁ ଦୁଇଦିନ ପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ଅପରପକ୍ଷେ ଆକାଶ ମେଘୁଆ ରହୁଥିବାରୁ ଏବଂ ବର୍ଷା ହେବା ପରେ ଶୀତ ଅଧିକ ଅନୁଭୂତ ହେବ। ଆଜି କେତେକ ସ୍ଥାନରେ ଆକାଶ ମେଘାଛନ୍ନ ଥିବାରୁ ସର୍ବନିମ୍ନ ତାପମାତ୍ରା କମ୍ ରହିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୬ଡିଗ୍ରି ରେକର୍ଡ ହୋଇଛି। ଏହାବାଦ୍ ଦାରିଙ୍ଗବାଡ଼ିରେ ୧୪ଡିଗ୍ରି, କୋରାପୁଟରେ ୧୫ଡିଗ୍ରି, ଭୁବନେଶ୍ୱରରେ ୧୭.୯, କଟକରେ ୧୮, ଅନୁଗୁଳରେ ୧୫.୬, ଝାରସୁଗୁଡ଼ାରେ ୧୫, କେନ୍ଦୁଝରରେ ୧୫, ସମ୍ବଲପୁରରେ ୧୪.୮, ସୁନ୍ଦରଗଡ଼ରେ ୧୫, ହୀରାକୁଦରେ ୧୩.୩, ଭବାନିପାଟଣାରେ ୧୫.୨, ବଲାଙ୍ଗୀର ଓ ସୋନପୁରରେ ୧୬ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।