ଉପକୂଳରେ ବର୍ଷା ସମ୍ଭାବନା

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୧୫ ତାରିଖ ସକାଳ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ବି ଆଶଙ୍କା ରହିଛି। ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା ପରିମାଣ କମ୍‌ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ସବୁଠାରୁ ଅଧିକ ୫୬.୩ ମିମି ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ୫୩, ବାଲେଶ୍ବର ଜିଲ୍ଲା ବାଲିଆପାଳରେ ୫୨ ଓ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ୫୨ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ଦିନରେ ଗୋପାଳପୁରରେ ୧୯ମିମି ଓ ଭୁବନେଶ୍ବରରେ ୧୬.୪ ମିମି ବର୍ଷା ହୋଇଛି। ଜିଲ୍ଲା ଅନୁଯାୟୀ ଦେଖିଲେ, ଗତ ୨୪ ଘଣ୍ଟାରେ ବାଲେଶ୍ବରରେ ୧୦.୪, ମୟୂରଭଞ୍ଜରେ ୧୦, ନୟାଗଡ଼ରେ ୯.୮, ଢ଼େଙ୍କାନାଳରେ ୫.୮, କୋରାପୁଟରେ ୫, ଗଞ୍ଜାମରେ ୪.୯, ଖୋର୍ଧାରେ ୪.୮ ମିମି ବର୍ଷା ହୋଇଛି। ରାଜ୍ୟରେ ମୋଟ ୨.୫ ମିମି ବର୍ଷା ହୋଇଛି। ୮ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନାହିଁ।

ସମ୍ବନ୍ଧିତ ଖବର