ଭୁବନେଶ୍ବର: ଭାରତୀୟ ମହାସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ସୁଦ୍ଧା ଉତ୍ତରପୂର୍ବ ବଙ୍ଗୋପସାଗରରେ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ଅର୍ଥାତ୍ ୨୫ ତାରିଖ ସକାଳ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ରୂପ ନେବ। ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ତାମିଲନାଡ଼ୁ ଓ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ। ଏହାର ତୀବ୍ରତା ଓ ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହା ପ୍ରଭାବରେ ତାମିଲନାଡ଼ୁ ସମେତ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୨୭ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଏବଂ ୨୯ ତାରିଖରେ ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ସାରା ରାଜ୍ୟରେ ଶୀତ ଜାରି ରହିଛି। ଗତକାଲି ରାତିରେ ରାଜ୍ୟର ୨୧ଟି ସହରର ପାରଦ ୧୫ ଡିଗ୍ରି ତଳେ ରହିଥିଲା। ଘୁ. ଉଦୟଗିରିରେ ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ ହୋଇଛି। ଯେତେବେଳେ କି ଫୁଲବାଣୀରେ ୧୦, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୧୧ ଡିଗ୍ରି ଲେଖାଏ, ଝାରସୁଗୁଡ଼ାରେ ୧୧.୪, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୨, କୋରାପୁଟରେ ୧୨.୧, ଭବାନୀପାଟଣାରେ ୧୨.୨, ରାଉରକେଲାରେ ୧୨.୪, କିରେଇରେ ୧୨.୫, ଅନୁଗୁଳରେ ୧୨.୬, ଚିପିଲିମାରେ ୧୨.୮, ନବରଙ୍ଗପୁରରେ ୧୩.୪, କେନ୍ଦୁଝରରେ ୧୩.୬, ନୂଆପଡ଼ାରେ ୧୪.୪, ସୋନପୁର ଓ ବୌଦ୍ଧରେ ୧୪.୫ ଡିଗ୍ରି ଲେଖାଏ, ଟିଟିଲାଗଡ଼ରେ ୧୪.୬, ଢେଙ୍କାନାଳରେ ୧୪.୭, ନୟାଗଡ଼ରେ ୧୪.୮ ଡିଗ୍ରି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/17/s4wr9VetROxib24rVk6V.jpg)