୭ ଦିନ ଯାଏ ବର୍ଷା, ଉତ୍ତର ଓଡ଼ିଶାରେ ଅଧିକ ସମ୍ଭାବନା
ଭୁବନେଶ୍ବର : ଆଉ ସପ୍ତାହକ ଯାଏ ଲାଗିରହିବ ବର୍ଷା। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ତେବେ ୨୨ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୨୩ ଓ ୨୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି କୁହାଯାଇଛି ଯେ ୨୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ବିଜୁଳି ସହ ଝଡ଼ ବର୍ଷା ପ୍ରଭାବ ଅଧିକ ରହିବ। ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପବନ ସହ ସହ ବଜ୍ରପାତର ଆଶଙ୍କା ରହିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ବର୍ତମାନ ଓଡ଼ିଶା ସମେତ ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିଛି। ତେଣୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ସପ୍ତାହର ସମୁଦାୟ ବର୍ଷା ପ୍ରାୟ ୯୦ ମିମିରୁ ଅଧିକ ହୋଇପାରେ। ଯାହାକି ସ୍ବାଭାବିକଠାରୁ ଅଧିକ ରହିବ। ୨୨ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଆଜି ଏକ ଲଘୁଚାପ ବିହାର ଓ ସଂଲଗ୍ନ ଅଞ୍ଚଳରେ ରହିଥିଲା। ଏହି ଲଘୁଚାପ ଜନିତ ଘୂର୍ଣ୍ଣିବଳୟ ଦିଲ୍ଲୀ ଓ ହରିୟାଣା ପର୍ଯ୍ୟନ୍ତ ବ୍ୟାପି ରହିଛି। ୨୨ ତାରିଖରେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବ। ଯାହାକି ପଶ୍ଚିମ ଉତ୍ତର ପ୍ରଦେଶରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିବ। ଏହି ଘୂର୍ଣ୍ଣିବଳୟରେ ଦୁଇଟି ଲଘୁଚାପ ଅଞ୍ଚଳ ରହିବ। ପୂର୍ବ ଭାଗରେ ଥିବା ଲଘୁଚାପ ଅଞ୍ଚଳ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳ ଭାଗ ଉପରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତୀ ଦୁଇଦିନ ପରେ ମଧ୍ୟପ୍ରଦେଶରୁ ବାଂଲାଦେଶ ମଧ୍ୟରେ ଅଧିକ ଘନୀଭୂତ ହେବ। ଅନୁମାନ କରାଯାଉଛି ଯେ ଏହାଦ୍ବାରା ଭୁବନେଶ୍ବର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅଭ୍ୟନ୍ତରୀଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୨୦ରୁ ୨୫ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୨୨ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର ସମେତ ଉତ୍ତର ଉପକୂଳରେ ୨୩ରୁ ୨୭ ଯାଏ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି।