ଭୁବନେଶ୍ବର: ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୯ ତାରିଖରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଚାଲିଛି। ଜୁନ୍ ପହିଲାରୁ ଆଜି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୬୩.୬ ମିମି ବର୍ଷା ହେବା କଥା। ମାତ୍ର ଏହି ସମୟରେ ମାତ୍ର ୯୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୪ଟି ଜିଲ୍ଲା ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ବଲାଙ୍ଗୀରରେ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳରେ ସର୍ବାଧିକ ୫୬ ମିମି ବର୍ଷା ହୋଇଥିଲା। ବୌଦ୍ଧର ହରଭଙ୍ଗାରେ ୫୩, ବରଗଡ଼ ଜିଲ୍ଲାର ପଦ୍ମପୁରରେ ୪୬, ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୪୬, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୩୭ ମିମି ବର୍ଷା ହୋଇଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଜଗତ୍ସିଂହପୁରରେ ୪୯.୨ ମିମି, ନୟାଗଡ଼ରେ ୨୪, ଚାନ୍ଦବାଲିରେ ୨୨.୮ ମିମି, ଦାରିଙ୍ଗବାଡ଼ିରେ ୨୨, ଭଦ୍ରକରେ ୮, ଯାଜପୁରରେ ୫, କେନ୍ଦୁଝରରେ ୪.୭ ମିମି ବର୍ଷା ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୭ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ସେତେଟା ସକ୍ରିୟ ହେବନାହିଁ। ସୃଷ୍ଟି ହେବାର ୨୪ରୁ ୩୬ ଘଣ୍ଟା ମଧ୍ୟରେ ଅପସରି ଯିବ। ଏହାଦ୍ବାରା ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ତେବେ ଜୁଲାଇ ଆରମ୍ଭରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ହୋଇପାରେ। ଜୁଲାଇ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଲାଗିରହିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ବୁଣାବୁଣି କରିବାକୁ ଖୁବ୍ କମ୍ ନିଅଣ୍ଟିଆ ବର୍ଷା ହୋଇଛି। ମାସ ଶେଷ ବେଳକୁ ନିଅଣ୍ଟିଆ ପରିମାଣ ଆହୁରି ବଢ଼ିପାରେ। ବର୍ତ୍ତମାନ ସୁଦ୍ଧା ହୋଇଥିବା ବର୍ଷା ଓ ଆସନ୍ତା ୧୦ ଦିନ ଭିତରେ ବର୍ଷା ହେବାକୁ ଥିବାରୁ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଆଭ୍ୟନ୍ତରୀଣ ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳରେ ବର୍ତ୍ତମାନ ବୁଣାବୁଣି କରନ୍ତୁ। ବାକି ଜିଲ୍ଲାଗୁଡ଼ିକରେ ମାଟିର ବତରକୁ ଦେଖି ବୁଣିବାକୁ ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/rains.jpg)