ଭୁବନେଶ୍ୱର: ଦଶହରାରେ ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା | ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ପାଣିପାଗ ବିଭାଗର ସୂଚନା ମୁତାବକ ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ | ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ୨୧ରେ ଲଘୁଚାପ ସମ୍ଭାବନା ଥିବାବେଳେ ୨୩ରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ | ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି , ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |
ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି | ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଥିବାବେଳେ ୨୦ ରୁ ୨୩ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି | ୨୪ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ୨୫ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି |