ରସୁଲପୁର: ରସୁଲପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡିତର ଠାରେ ଚାଲିଥିବା ୬୭ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ତୃତୀୟ ଦିନରେ ପହଞ୍ଚିଛି। ଆଜି ଅପରାହ୍ଣରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ସକାଳ ଅଧିବେଶନରେ ୧୪ଟି ମ୍ୟାଚ୍ ପରିଚାଳନା କରାଯାଇଥିଲା।
ଆଜି ସକାଳେ ପୁରୁଷ ବିଭାଗରେ ୧୦ ଟି ଓ ମହିଳା ବିଭାଗରେ ୪ ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପୁରୁଷ ବିଭାଗରେ ବିଳାସପୁର ୨୯-୯ ପଏଣ୍ଟରେ କେକେଏ ପଟିଆକୁ ହରାଇଥିଲା। ଦକ୍ଷିଣ ପୂର୍ବ ରେଳବାଇ ଖେଳିଥିବା ୩ଟି ଯାକ ମ୍ୟାଚ୍ରେ ଯାଜପୁରକୁ ୨୬-୧୫, ନାଗପୁରକୁ ୩୯-୧୬ ଓ ପୁରୀକୁ ୩୪-୧୦ ପଏଣ୍ଟରେ ହରାଇ ବିଜୟୀ ହୋଇଥିଲା। ଦକ୍ଷିଣ ପୂର୍ବ ରେଳବାଇର ୩ ଜଣ ପ୍ରୋକବାଡ଼ି ଷ୍ଟାର ଦୀପକ ନରଓ୍ବାଲ, ବିକାଶ କୁମାର ଓ ସୁରିନ୍ଦର ସିଂଙ୍କ ଖେଳ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା। ସେହିପରି କୋଲକାତା ପୁଲିସ ଖେଳିଥିବା ୨ଟି ମ୍ୟାଚ୍ରେ ଅନୁଗୁଳକୁ ୩୬-୨୫ ଓ ଆସ୍କାକୁ ୩୮-୧୫ ପଏଣ୍ଟରେ ହରାଇଥିଲା। ଜଗତସିଂହପୁର ୩୪-୩୧ ରେ କଟକକୁ, ଜଗତସିଂହପୁର ୩୪-୧୧ରେ ପଟିଆକୁ, ନାଗପୁର ୧୯-୦୮ ରେ କିଟ୍ ବିଶ୍ବବିଦ୍ୟାଳୟକୁ ଓ ଆସ୍କା ୩୦-୧୫ ରେ ଅନୁଗୁଳକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।
ମହିଳା ବିଭାଗରେ ପଶ୍ଚିମବଙ୍ଗ ୪୪-୧୭ ରେ କିଟ୍ ବିଶ୍ବବିଦ୍ୟାଳୟକୁ, କଟକ ୩୩-୧୦ରେ ଯାଜପୁରକୁ, ଛତିଶଗଡ଼ ୪୨-୦୯ ରେ କଟକକୁ ଓ କିଟ୍ ବିଶ୍ବବିଦ୍ୟାଳୟ ୨୩-୧୩ ପଏଣ୍ଟରେ ହରାଇ ବିଜୟୀ ହୋଇଥିଲେ। ପ୍ରୋ କବାଡ଼ି ଷ୍ଟାରମାନଙ୍କ ଖେଳ ସହିତ ଆଜିକାର ଆକର୍ଷଣ ଥିଲେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ଭାରତୀୟ କବାଡ଼ି ଟିମ୍ର ପୂର୍ବତନ ଅଧିନାୟକ ତଥା ଅର୍ଜୁନ ପୁରସ୍କାର ବିଜେତା ବିଶ୍ବଜିତ୍ ପାଲିତ। ବିଶ୍ବଜିତ୍ ପାଲିତ ୧୯୯୪ ଜାପାନ ଏସିଆଡ୍ ଓ ୧୯୯୮ ବ୍ୟାଙ୍କକ୍ ଏସିଆଡ୍ରେ ଭାରତୀୟ ଜାତୀୟ ଦଳର ସଦସ୍ୟ ରହିଥିଲେ। ବର୍ତ୍ତମାନ ସେ ଦକ୍ଷିଣ ପୂର୍ବ ରେଳବାଇ କବାଡ଼ି ଦଳର ମୁଖ୍ୟ କୋଚ୍ ରହିଛନ୍ତି। ବର୍ଷା ଛାଡ଼ିଯିବା ପରେ ରାତି ୧୦ ଟା ବେଳେ ଖେଳ ଆରମ୍ଭ ହୋଇ ବଳକା ମ୍ୟାଚ୍ ଗୁଡ଼ିକ ଖେଳାଯିବ ବୋଲି ସୂଚନା ମିଳିଛି। ଦିନରେ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ଭରପୂର ଦର୍ଶକ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/15-12.jpg)