ମିଠା ଦୋକାନ ଉପରେ ଚଢ଼ଉ: ୪୦ କେଜି ମିଠା ନଷ୍ଟକଲେ ଖାଦ୍ୟ ନିରୀକ୍ଷକ

ବ୍ୟାସନଗର : ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ବିଭିନ୍ନ ବଜାରରେ ଥିବା ମିଠା ଓ ଜଳଖିଆ ଦୋକାନରେ ଆଜି ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ଚଢ଼ଉ କରାଯାଇଛି। ସହରରେ କିଛିଦିନ ହେଲା ବାସୀ ଓ ଅପମିଶ୍ରିତ ମିଠା ତଥା ଫାଷ୍ଟଫୁଡ଼ ବିକ୍ରି ହେଉଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଫଳରେ ଆଜି ଏଫଏସ୍‌ଓ ବିଭୁଦତ୍ତ ତ୍ରିପାଠୀଙ୍କ ନେତୃତ୍ବରେ ଏକ ଟିମ୍‌ ବ୍ୟାସନଗରର ଡାକବଙ୍ଗଳା ଛକରେ ଥିବା ତାରିଣୀ ସୁଇଟ୍‌ସ ସହ ଦଳାଛକ, ଷ୍ଟେସନ ବଜାର, ତାରିଣୀ ମାର୍କେଟ, ଚୋରଦା ଛକ, ବ୍ୟାଙ୍କ ଷ୍ଟ୍ରିଟ୍‌ ଇତ୍ୟାଦି ସ୍ଥାନରେ ଥିବା ୨୦ରୁ ଅଧିକ ମିଠା ତଥା ଜଳଖିଆ ଦୋକାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ବାସୀ ତଥା ଅପମିଶ୍ରିତ ୪୦ କେଜି ମିଠା ନଷ୍ଟ କରାଯିବା ସହ ବହୁ ପରିମାଣର କେମିକାଲସ ଓ ରଙ୍ଗ ଜବତ କରାଯାଇଥିଲା।

ଲାଇସେନସ୍‌ ନବୀକରଣ କରିନଥିବା ଦୋକାନଗୁଡ଼ିକରୁ ୩ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ସେହିପରି ବରା, ସିଙ୍ଗଡ଼ାରେ ପରିବେଷଣ କରାଯାଉଥିବା ରଙ୍ଗଦିଆ ତେନ୍ତୁଳି ଖଟା ପ୍ରସ୍ତୁତ ନକରିବାକୁ ଜଳଖିଆ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଥିଲା। କୋଲକାତାରୁ ଆସୁଥିବା ସିନ୍ଥେଟିକ୍‌ ପନିର ହୋଲସେଲରଙ୍କ ଉପରେ ଅଧିକାରୀମାନଙ୍କ ପକ୍ଷରୁ ଚଢ଼ଉ ପାଇଁ ଯୋଜନା କରାଯାଇଥିଲା। ହେଲେ କୌଣସି ସୂତ୍ରରୁ ଖବର ପାଇ ଏହି ହୋଲସେଲରମାନେ ଆଜି ସେମାନଙ୍କର ଦୋକାନ ବନ୍ଦ କରିଦେଇଥିଲେ। ଏସମ୍ପର୍କରେ ଏଫଏସ୍‌ଓ ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ, ପ୍ରତିମାସରେ ଏଣିକି ଚଢ଼ଉ କରାଯାଇ ଖାଦ୍ୟପଦାର୍ଥର ମାନ ଯାଞ୍ଚ କରାଯିବ ବୋଲି କହିଥିଲେ। ବାରଣ ସତ୍ତ୍ବେ ଅପମିଶ୍ରିତ ଖାଦ୍ୟ ବିକ୍ରୟ କରୁଥିବା ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଫଏସ୍‌ଓ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର