ବଢ଼ିଲା ଚାଷୀ ଯନ୍ତ୍ରଣା

ଭୁବନେଶ୍ୱର : ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ସୂଚନା ଅନୁସାରେ ଆଜି ପୁରୀ ଜମିଲ୍ଲାରେ ସର୍ବାଧିକ ୫୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପ଼ଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଧା, ନୟାଗ଼ଡ଼ରେ ବି ହୋଇଛିି ବଡ଼ ବର୍ଷା। ଏହାଛଡା ମୟୂରଭଂଜ, କୋରାପୁଟ, ରାୟଗଡା, କନ୍ଧମାଳ ଭଳି ଜିଲ୍ଲାରେ ମଧ୍ୟ ଅଳ୍ପ ବର୍ଷା ହୋଇଛି।

ଏହାର ଭୟାନକ ରୂପ କିନ୍ତୁ ପ୍ରତିଫଳିତ ହେଉଛି ଧାନ ବିଲରେ। ପାଚିଲା ଧାନ ଗଛ ତ ଶୋଇଯାଇଛି, ବିଲରେ ଏବେ ପାଣି ଲହଡି ମାରୁଛି। ଲକ୍ଷ ଲକ୍ଷ ହେକ୍ଟର ଜମିରେ ଫସଲ ଭାସୁଛି। ସ୍ଥିତି ଏମିତି ଯେ ଉଦ୍ଧାର ସମ୍ଭାବନା କ୍ଷୀଣ। ସର୍ବନିମ୍ନ ସହାୟକ ମୂଲ୍ୟରେ ଏସବୁ ଧାନ ବିକ୍ରି ହେବା ସମ୍ଭବ ନୁହେଁ। ଏକଥା ଚାଷୀକୁ ଡରାଇ ଦେଲାଣି। ମୁଣ୍ଡରୁ ହାତ ଖସୁନି।

ବର୍ଷା ଆଉ ୨୪ ଘଣ୍ଟା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବା ପରିପ୍ରେକ୍ଷୀରେ କ୍ଷୟକ୍ଷତିର ପରିଣାମ ବୃଦ୍ଧି ପାଇବ ବୋଲି କୁହାଯାଉଛି।

କିଛି ଚାଷୀ ବିଲରୁ ଧାନ ଛାଣି ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆଉ କିଛି ଅଞ୍ଚଳରେ ବିଲରେ ହିଁ ଗଜା ହୋଇଯିବା ଭୟରେ ଆତଙ୍କିତ ହୋଇପଡିଛି ଚାଷୀ। ଯେଉଁ ଜମିରେ ଧାନ ଭଲ ଭାବେ ପାଚି ନାହିଁ, ଅର୍ଥାତ୍‌ ଗଛ ଶୋଇଯାଇଛି, ସେଠାରେ ଫସଲ ବିପଦକୁ ଚାଲିଯାଇଛି। ଭଲ ଫଳିଥିବା ଅଧିକାଂଶ ଜମିରେ ବର୍ଷାର ଏ ତାଣ୍ଡବ ଚାଷୀକୁ ଦୋହଲାଇ ଦେଇଛି। ସେହିପରି ପନିପରିବା ଚାଷ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଇଛି।

ଅନ୍ୟପକ୍ଷରେ ସ୍ଥିତିର ଗମ୍ଭୀରତା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ସ୍ଥିତିର ସମୀକ୍ଷା କରିଛନ୍ତି। ୧୫ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରି କ୍ଷୟକ୍ଷତିର ତଦାରଖ ଲାଗି ନିର୍ଦେଶ ଦେଇଛନ୍ତି। ଉଭୟ କୃଷି ଏବଂ ରାଜସ୍ୱ କର୍ମଚାରୀମାନେ ଚାଷୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଉଭୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ରବିବାର ଦିନ ଛୁଟିକୁ ବାତିଲ୍‌ କରିଦିଆଯାଇଛି। ଆସନ୍ତାକାଲି ବର୍ଷା ଛାଡ଼ିଯିବାର ସମ୍ଭାବନା ରହିଛି। ତା’ ପରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଛନ୍ତି।

ଆଜି ଆଲୋଚନା ବେଳେ ପୋକ ଏବଂ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କ କ୍ଷୟକ୍ଷତି ସଂପର୍କରେ ବି ସରକାର ସୂଚାଇଥିଲେ। ଘୋଷଣା ହୋଇଥିବା ପ୍ୟାକେଜ୍‌ ଯେପରି କ୍ଷତିଗ୍ରସ୍ତ ଚାଷୀମାନେ ଠିକଣା ଭାବେ ପାଇ ଆଗୁଆ ରବି ଚାଷ କରିପାରିବେ ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଧାନ ସଂଗ୍ରହ ନେଇ ଚାଷୀମାନେ ଯେପରି କୌଣସି ପ୍ରକାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ତାଗିଦ୍‌ କରିଥିଲେ। କୃଷି ନିମନ୍ତେ ସରକାରୀ ରିହାତି (ଇନ୍‌ପୁଟ୍‌ ସବ୍‌ସିଡି) ଯୋଗାଣ ସଂପର୍କିତ ସବିଶେଷ ତଥ୍ୟ ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର